Odisha Link
Bridging the Missing Links in Odisha

ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ପ୍ରଥମ ସ୍ଥାନରେ ଓଡ଼ିଶା ଝିଅ ଦୀପ୍ତି

ମୁମ୍ବାଇ: ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ଆଇଏଡବ୍ଲୁଏ ସୁପର ମଡେଲ ୨୦୨୦ର ଟାଇଟଲ୍‌ ବିଜେତା ହୋଇଛନ୍ତି ଢେଙ୍କାନାଳର ଝିଅ ଦିପ୍ତୀ ଜ୍ୟୋତି ପଟ୍ଟନାୟକ। ଶୁକ୍ରବାର ସଂଧ୍ୟାରେ ଅନ୍ଧେରୀ ଓ୍ବେଷ୍ଟ ଠାରେ ଏକ ହୋଟେଲରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ତାଙ୍କୁ ଏହି ମୁକୁଟ ମିଳିଛି।

ଏକ ଭୋଟିଂ ପ୍ରକ୍ରିୟାରେ ସର୍ବାଧିକ ସମର୍ଥନ ପାଇ ସଫ୍ଟଓ୍ବେର ଇଂଜିନିୟର ଦୀପ୍ତି ବିଭିନ୍ନ ରାଜ୍ୟରୁ ଆସିଥିବା ୩୦ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ମୁଖ୍ୟଅତିଥି ପଦ୍ମଶ୍ରୀ ଡାକ୍ତର ଅଶୋକ ଗୁପ୍ତା ଓ ଆଇଏଡବ୍ଲୁଏ ଅଧ୍ୟକ୍ଷା ଦଲଜିତ କୌରଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ଦୀପ୍ତି।

ଢେଙ୍କାନାଳର ଭୁବନ ମହାବିଦ୍ୟାଳୟରେ ଲେବୋରେଟୋରୀ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଦୀପ୍ତିଙ୍କ ବାପା ପ୍ରଭାତ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ବିଜୟ ପାଇଁ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିବା ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉତ୍ସବରେ ସହଭାଗିତା କରିଥିବା ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ରହିଛି ଓଡ଼ିଶାର ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ ‘ଅଗ୍ରଣୀ ଓଡ଼ିଶା’। ଉତ୍ସବରେ ଅଗ୍ରଣୀ ଓଡ଼ିଶାର ସଂପାଦକ ଶୁଭେନ୍ଦୁ ଦାସ, ହେମରାଜ ଆଡଭର୍ଟାଇଜିଂର ମୁଖ୍ୟ ଲକ୍ଷ୍ମୀ ନାରାୟଣ ଅଗ୍ରଓ୍ବାଲ ଓ ସମାଜସେବୀ ଅମର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏସିଡ୍‌ ଆକ୍ରମଣ ପୀଡ଼ିତଙ୍କୁ ସହଯୋଗ କରିବା ଓ ଏଭଳି ଆକ୍ରମଣ ବିରୋଧରେ ଜନସଚେତନତା ସୃଷ୍ଟିି କରିବା ଏହି ସୁନ୍ଦରୀ ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ।

Comments are closed.