Odisha Link
Bridging the Missing Links in Odisha

୧୬ ଦିନରେ ୭୦ କୋଟି ଆଦାୟ କଲାଣି ସେସୁ

ଭୁବନେଶ୍ୱର: ସେଣ୍ଟ୍ରାଲ ଇଲେକ୍ଟି୍ରସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ) ସ୍ୱତନ୍ତ୍ର ଅଭିଯାନ ଜରିଆରେ ଖିଲାପା ଗ୍ରାହକଙ୍କ ନିକଟସ୍ଥ ପ୍ରାୟ ୭୦ କୋଟି ଟଙ୍କାର ବିଜୁଳି ବକେୟା ଆଦାୟ କରିଛି। ଏହାଛଡ଼ା ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଂଶସ୍ୱରୂପ କମ୍ପାନି ବିଲ୍ ଦାଖଲରେ ବିଫଳ ୨୦ ହଜାର ଖିଲାପ ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ବିଜୁଳି ସଂଯୋଗ କାଟିଛି।

ସେସୁ ପକ୍ଷରୁ ପ୍ରକାଶିତ ବିବୃତି ମୁତାବକ, ଖିଲାପୀ ଗ୍ରାହକଙ୍କ ଠାରୁ ବକେୟା ବିଜୁଳି ବିଲ ଆଦାୟ ପାଇଁ ଜାନୁଆରୀ ୧୬ ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଦେୟ ସଂଗ୍ରହ ଓ ବିଜୁଳି କାଟ ଅଭିଯାନ ସୋମବାର ଷୋଡ଼ଶ ଦିନରେ ପହଞ୍ଚିଛି। ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ଗ୍ରାହକ ୬୨ କୋଟି ୩୪ ଲକ୍ଷ ଟଙ୍କାର ବକେୟା ଦାଖଲ କରିଛନ୍ତି। ଏହାଛଡ଼ା ଅନଲାଇନରେ ଖିଲାପୀ ଗ୍ରାହକଙ୍କ ନିକଟରେ ଆଉ ୭ କୋଟି ୨୨ ଲକ୍ଷ ଟଙ୍କା ଅସୁଲ ହୋଇଛି। ଏହିଭଳି ଭାବେ ଗ୍ରାହକଙ୍କ ନିକଟରୁ ୬୯ କୋଟି ୫୬ ଲକ୍ଷ ଟଙ୍କାର ବକେୟା ବିଜୁଳି ବିଲକୁ ସଂଗ୍ରହ କରାଯାଇଛି।

ପ୍ରକାଶ ଥାଉ କି, ଅଭିଯାନ ଅଧୀନରେ ସ୍ୱତନ୍ତ୍ର ବିଜୁଳି କାଟ ସ୍କ୍ୱାର୍ଡ କମ୍ପାନୀ ଦ୍ୱାରା ପରିଚାଳିତ ୨୦ଟି ଯାକ ଡିଭିଜନରେ ଖିଲାପୀ ବ୍ୟବସାୟିକ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ଦେୟ ପ୍ରଦାନ ପାଇଁ ପ୍ରବର୍ତ୍ତାଇଛନ୍ତି। ଏଥିରେ ବିଫଳ ଉପଭୋକ୍ତାଙ୍କ ବିଜୁଳି ସଂଯୋଗକୁ ବିଚ୍ଛିନ୍ନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଭଳି ୨୦,୫୬୬ ଜଣ ଖିଲାପୀ ଗ୍ରାହକଙ୍କ ବିଜୁଳି ସଂଯୋଗକୁ କାଟିଛନ୍ତି ସେସୁ କର୍ତ୍ତୃପକ୍ଷ। ଅନ୍ଧାରରେ ରହି ଚେତିବା ପରେ ସେମାନଙ୍କ ମଧ୍ୟରୁ ୧୦,୦୦୦ ଗ୍ରାହକ ବକେୟା ବିଲ୍ ଦାଖଲ କରି ପୁନଃ ସଂଯୋଗ ନେଇଛନ୍ତି।

ବିବୃତି ମୁତାବକ ସେସୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗ୍ରାହକମାନଙ୍କ ନିକଟରୁ ୨ କୋଟି ୧୧ ଲକ୍ଷ ଟଙ୍କା ଅସୁଲ କରିଛି । ସେହିପରି ବିଲ୍ ପ୍ରଦାନରେ ବିଫଳ ହୋଇଥିବା ୫୨୦ ଜଣ ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ବିଜୁଳି ସଂଯୋଗକୁ କାଟି ଦେଇଛନ୍ତି।

Comments are closed.