Odisha Link
Bridging the Missing Links in Odisha

ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ୍!

ଭୁବନେଶ୍ବର: ଆପଣ କଟକ କିମ୍ବା ଭୁବନେଶ୍ବରରେ ରଙ୍ଗ୍ ରୁଟ୍‌ରେ ଗାଡ଼ି ଚଳାଉଛନ୍ତି କି? ଯଦି ଚଳାଉଛନ୍ତି, ହୁସିଆର୍ ହୋଇ ଯାଆନ୍ତୁ। କାରଣ ଖୁବ୍ ଶୀଘ୍ର କମିସନରେଟ ପୁଲିସ କେତେକ ପ୍ରମୁଖ ରଙ୍ଗ୍ ରୁଟ୍ ରାସ୍ତାରେ ସ୍ପାଇକ୍ ବ୍ୟାରିୟର ଲଗାଇବାକୁ ଯୋଜନା କରିଛି। ଆପଣଙ୍କ ଗାଡ଼ି ସେହି ରାସ୍ତାରେ ଗଡ଼ିବା କ୍ଷଣି ଚକା ଲିକ୍ ହୋଇଯିବ। ଏହା ପରେ ସେଠାରେ ଲାଗିଥିବା ସିସି କ୍ୟାମେରାରେ ଆପଣଙ୍କ ବାଇକ୍ ଓ କାର୍‌ ନମ୍ବର ପ୍ଲେଟ୍‌ର ଫଟୋ ଉଠିଯିବ। ନମ୍ବର ଆଧାରରେ ଆପଣଙ୍କୁ ଘରକୁ ନୋଟିସ୍‌ ଯିବ। ଦିନବେ‌ଳା ହୋଇଥିଲେ, ଟ୍ରାଫିକ୍ ପୁଲିସ ହାବୁଡ଼ରେ ପଡ଼ି ତଣ୍ଡ ମଧ୍ୟ ଗଣିବେ। ଏଭଳି ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି କମିସନରେଟ୍‌ ପୁଲିସ।

ଏନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କମିସନରେଟ୍‌ ପୁଲିସ ଅଧୀନରେ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ଅହରହ ଉଦ୍ୟମ ଓ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି। କିଛି ଦିନ ହେବ ରୁଙ୍ଗ ରୁଟ୍‌ରେ ଯେଉଁମାନେ ଗାଡ଼ି ଚଳାଉଛନ୍ତି, ସେମାନଙ୍କ ଉପରେ ଧରପଗଡ଼ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉଛି। ଗତ ଦୁଇ ଦିନ ମଧ୍ୟରେ ୨୦ରୁ ଅଧିକ ବାଇକ୍ ଚାଳକ ଓ କାର୍‌ ଚାଳକମାନଙ୍କଠାରୁ ଜରିମାନା ଆଦାୟ କରାଯାଇ ସାରିଲାଣି। ରଙ୍ଗରୁଟ୍‌ରେ ଗଲେ ୫ ହଜାର ଟଙ୍କା ଜରିମାନା ଆଦାୟ ହେଉଛି। ତେଣୁ ରଙ୍ଗରୁଟ୍‌ରେ ନ ଯିବା ଲାଗି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ସହରବାସୀଙ୍କୁ ଅନୁରୋଧ କରିଛନ୍ତି। ସେମାନେ ସେମାନଙ୍କ ଜୀବନ ଓ ପରିବାରକୁ ବିପଦକୁ ଟାଣି ଆଣୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ବର ଓ କଟକରେ ଏଯାଏ ୨୪୨ଟି ରଙ୍ଗରୁଟ୍ ଚିହ୍ନଟ ହୋଇଛି। ଏଥି ମଧ୍ୟରୁ ୩୨ଟି ରାସ୍ତା ଅତ୍ୟନ୍ତ ସମ୍ବେଦନଶୀଳ। ପ୍ରତ୍ୟେକ ଦିନ ଏହି ସବୁ ରାସ୍ତାରେ ଦୁର୍ଘଟଣା ଘଟୁଛି। କିନ୍ତୁ ଏ ସବୁ ସତ୍ତ୍ବେ ମଧ୍ୟ ଲୋକେ ରଙ୍ଗରୁଟ୍‌ରେ ଯିବା ଆସିବା କରୁଛନ୍ତି।
ଏଣିକି ରଙ୍ଗରୁଟ୍‌ରେ ଗାଡ଼ି ଚଲାଇଲେ, ଚକା ଲିକ୍ ହୋଇଯିବ। ପୁନେ, ହାଇଦ୍ରାବାଦ ଓ ନୋଏଡା ଭଳି ସହରରେ ଲାଗିଥିବା ସ୍ପାଇକ୍ ବ୍ୟାରିୟର୍‌ ଭଳି ଭୁବନେଶ୍ବର ଓ କଟକରେ ଏଭଳି ସ୍ପାଇକ୍‌ ବ୍ୟାରିୟର ଲଗାଇବାକୁ ଯୋଜନା ହୋଇଛି। ପ୍ରାଥମିକ ଭାବେ ରାଜଧାନୀର ସବୁଠାରୁ ସ୍ପର୍ଶକାତର ରଙ୍ଗରୁଟ୍‌ ରାସ୍ତାରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ଏଥିରେ ସଫଳତା ମିଳିଲେ, ଅନ୍ୟ ଛକଗୁଡ଼ିକରେ ସେଗୁଡ଼ିକୁ ଲଗାଯିବ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ରଙ୍ଗରୁଟ୍‌ରେ ଗାଡ଼ି ଚାଳନା କାରଣରୁ ଅନେକ ଦୁର୍ଘଟଣା ଘଟିବା ସହିତ ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥାଏ। ଏହାକୁ ରୋକିବା ପାଇଁ ପୁଲିସ୍‌ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି।

Comments are closed.