ବଦଳିବ ରାଜ୍ୟର ସବୁ ବଡ଼ ବସଷ୍ଟାଣ୍ଡର ଚେହେରା

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଥିବା ବଡ଼ ବଡ଼ ବସଷ୍ଟାଣ୍ଡର ଆଧୁନିକିକରଣ ହେବ। ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ। ଏହି ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟର ଅଧିକାଂଶ ସହରରେ ଥିବା ବସ୍ ଷ୍ଟାଣ୍ଡର ରୂପରେଖରେ ପରିବର୍ତ୍ତନ ଅଣାଯିବ।
ଆଧୁନିକ ସୁବିଧା ଯଥା ରେଷ୍ଟୁରାଣ୍ଟ, ସପିଂ ମଲ ଓ ଅପେକ୍ଷା ପାଇଁ ବିଶ୍ରାମାଗାର ଆଦି ବସ୍ ଷ୍ଟାଣ୍ଡରେ ଖୋଲିବ। ଯଦି କୌଣସି ବସ ଷ୍ଟାଣ୍ଡରେ ଅଧିକ ଜମି ଥାଏ, ସେଠି ସରକାର ମଲ୍ଟି ପ୍ଲେକ୍ସ ବି କରିପାରନ୍ତି।
ସରକାରଙ୍କ ଏହି ଚିନ୍ତା ବର୍ତ୍ତମାନ ଅବଶ୍ୟ ପ୍ରସ୍ତାବ ସ୍ତରରେ ରହିଛି। ତେବେ ଏହି ବର୍ଷ ପ୍ରଥମ ପର୍ଯ୍ୟାୟରେ ୧୦ଟି ବସ୍ ଷ୍ଟାଣ୍ଡକୁ ହାତକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଇତି ମଧ୍ୟରେ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡର ଆଧୁନିକୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୧୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।