Odisha Link
Bridging the Missing Links in Odisha

ଦିଲ୍ଲୀ ନିର୍ବାଚନ: ଚାଲିଛି ମତଦାନ, ସରୁନି ବାକ୍‌ ଯୁଦ୍ଧ

ନୂଆଦିଲ୍ଲୀ: ଦିଲ୍ଲୀ ସିଂହାସନ ପାଇଁ ଚାଲିଛି ମତଦାନ। ଆଜି ସନ୍ଧ୍ୟା ୬ଟାରା ସରିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା। ହେଲେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ସରିନି ବାକ୍‌ ଯୁଦ୍ଧ। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। କେଜ୍ରିୱାଲ ମନ୍ଦିର ଯିବାରୁ ହନୁମାନ ଅସୁଦ୍ଧ ହୋଇଗଲେ ବୋଲି ବିଜେପି କହିଛି।

ବିଜେପିର ଏହି ମନ୍ତବ୍ୟର ଜବାବ ମଧ୍ୟ କେଜ୍ରିୱାଲ ଦେଇଛନ୍ତି। ସେ କହିଛନ୍ତି ଯେ, “ମୁଁ ଯେବେଠାରୁ ହନୁମାନ ଚାଳିଶା ପଢ଼ିଥିବା କହିଛି, ସେବେଠାରୁ ବିଜେପି କ୍ରମାଗତ ଭାବେ ମୋତେ ପରିହାସ କରିଚାଲିଛି। ଗତକାଲି ମୁଁ ହନୁମାନ ମନ୍ଦିର ଯାଇଥିଲି। ଆଜି ବିଜେପି ନେତା କହୁଛନ୍ତି, ମୁଁ ମନ୍ଦିର ଯାଇଥିବାରୁ ଏହା ଅପବିତ୍ର ହୋଇଗଲା। ଏହା କେଉଁଭଳି ରାଜନୀତି? ଭଗବାନ ସମସ୍ତଙ୍କର। ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବିଜେପି ନେତାଙ୍କୁ ବି ଭଗବାନ ଆଶୀର୍ବାଦ କରନ୍ତୁ।”

କେଜ୍ରିଓ୍ବାଲଙ୍କ ମନ୍ଦିର ଦର୍ଶନକୁ ଆଜି ମନୋଜ ତିୱାରୀ କଟାକ୍ଷ କରିଥିଲେ। ସେ କହିଥିଲେ ଯେ “କେଜ୍ରିୱାଲ ହନୁମାନଙ୍କ ପୂଜା କରିବାକୁ ନା ଏହାକୁ ଅସୁଦ୍ଧ କରିବାକୁ ଯାଇଥିଲେ। ସେ ଯେଉଁ ହାତରେ ଜୋତା ଖୋଲିଲେ ସେହି ହାତରେ ଭଗବାନଙ୍କ ପାଇଁ ଫୁଲ ଧରିଲେ। ସେ କ’ଣ କରୁଛନ୍ତି?

ଯେତେବେଳେ ନକଲି ଶ୍ରଦ୍ଧାଳୁମାନେ ମନ୍ଦିର ଯାଆନ୍ତି, ଏମିତି ଘଟଣା ଘଟିଥାଏ। ଏହି ଘଟଣା ପରେ ମୁଁ ମନ୍ଦିରର ପୂଜକଙ୍କୁ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ଏକାଧିକ ଥର ଧୋଇବାକୁ କହିଛି।” ଶୁକ୍ରବାର କେଜ୍ରିୱାଲ ସପରିବାରଙ୍କୁ ସାଙ୍ଗରେ ଧରି ହନୁମାନ ମନ୍ଦିର ଯାଇଥିଲେ। ଏହି ସମୟରେ ସେଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Comments are closed.