Odisha Link
Bridging the Missing Links in Odisha

ଓଡ଼ିଶା ସ୍କିଲସ୍‌ ୨୦୨୦ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲସ୍‌ ୨୦୨୦ର ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି । ଆସନ୍ତା ୨୦୨୦ ଅପ୍ରେଲ୍‌ ମାସ ୨୮ରୁ ୩୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହେବ । ଏଥି ପାଇଁ ଯୁବକମାନଙ୍କ ମଧ୍ୟରେ ଅହେତୁକ ଆଗ୍ରହ ପରିଲକ୍ଷିତ ହୋଇଛି ।

୧୫ ହଜାର ଛାତ୍ର ଏହି ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରେସନ୍‌ କରିଛନ୍ତି । ଏଥିରେ ୬ଟି ସେକ୍ଟରର ୪୬ଟି ଦକ୍ଷତା ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପରବର୍ତ୍ତୀ ସମୟରେ ଏଥିରୁ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଜାତୀୟ ସ୍ତରରେ ଇଣ୍ଡିଆ ସ୍କିଲସ୍‌ରେ ଯୋଗଦେବେ ଓ ଏଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ୨୦୨୧ ମସିହାରେ ସାଂଘାଇଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା କାର୍ଯ୍ୟକ୍ରମରେ ଯୋଗଦେବେ ।

୨୦୨୧ ସାଂଘାଇ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ୨-୪-୬ ଲକ୍ଷ ରଖିଛନ୍ତି । ଅର୍ଥାତ୍‌ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ହାସଲ ପାଇଁ ମିଶନ ପ୍ରସ୍ତୁତ କରିଛନ୍ତି । ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ ୮ ଫେବୃଆରୀ ୨୦୨୦ରେ ପ୍ରଥମ ଭାଗ ପ୍ରତିଯୋଗିତା ଆରମ୍ଭ ହେବ । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୩ଟି ଦକ୍ଷତା ଉପରେ ସଂକ୍ଷିପ୍ତ ଭାବେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

ଓଡ଼ିଶା ସ୍କିଲସ୍‌ ୨୦୨୦ କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜଟଣୀ ଆଇଟିଆଇର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ସି.ଭି ରମଣ ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀମାନେ ନୁକଡ୍‌ ଅଭିନୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ୨୦୧୮ ଓଡ଼ିଶା ସ୍କିଲସ୍‌ ଉ ପରେ ଏକ ଭିଡିଓ ‘ସ୍ୱର୍ଣ୍ଣିମ ଯାତ୍ରା’ ପ୍ରଦର୍ଶିତ ହୋଇଥିଲା ଓ ଭୁବନେଶ୍ୱର ଆଇଟିଆଇର ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଟା ଏରୋସ୍ପେସ୍‌ ଆଣ୍ଡ ଡିଫେନ୍ସର ହେଡ୍‌ ଏରୋଷ୍ଟ୍ରକ୍‌ଚର୍‌ ଆଣ୍ଡ ଏରୋ-ଇଂଜିନସ୍‌ ମାସୁଦ୍‌ ହୁସେନୀ କହିଲେ ଯେ, ଖୁବ୍‌ ସ୍ୱଳ୍ପ ସମୟ ମଧ୍ୟରେ ଆମେ ଆମର ଲକ୍ଷ ହାସଲରେ ସଫଳ ହୋଇ ପାରିଛୁ ।

ଆଜି ଯେକୌଣସି ପ୍ଲେନ୍‌ ଦେଖନ୍ତୁ ସେଥିରେ ନିଶ୍ଚିତ ଭାବେ ଟାଟା ନିର୍ମିତ ଯନ୍ତ୍ରାଂଶ ବ୍ୟବହାର ହୋଇଥିବ । ଆମ ସହିତ ଓଡ଼ିଶାର ପିଲାମାନେ କାର୍ଯ୍ୟ କରୁଛନ୍ତି । ସେମାନେ ଖୁବ୍‌ଶୀଘ୍ର କୁଶଳୀ ହୋଇ ପାରୁଛନ୍ତି । ଆମେ ଲକ୍ଷ ରଖିବା ଉଚିତ୍‌ ଯେ ଆମେ ଯାହା କରିବା ଓ କରି ପାରିବା ତାହା ଦୁନିଆର ସବୁଠୁ ଭଲ ଉତ୍ପାଦ ହେବ ।

ଆମକୁ ଆଗକୁ ଯିବାକୁ ହେଲେ ଦକ୍ଷ ହେବାକୁ ପଡ଼ିବ ଓ ନିଜର ଦକ୍ଷତାର ବିକାଶ କରିବାକୁ ପଡ଼ିବ । କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଲେ ଯେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ପରିଚିତ ରାଜ୍ୟ । ସରକାର ଯୁବକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସଂକଳ୍ପବଦ୍ଧ ।

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୋର ସହଯୋଗୀମାନଙ୍କ ଉପରେ ମୋର ସଂପୂର୍ଣ୍ଣ ଭାବେ ଅତୁଟ ଭରସା ରହିଛି । ସେମାନେ ନିଜର ଉଦ୍‌ଯୋଗରେ ନିଶ୍ଚିତ ସଫଳ ହେବେ । ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟକୁ ଆଗେଇନେବେ ।

ଏହି ଅବସରରେ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ  ସୁବ୍ରୋତ ବାଗ୍‌ଚୀ ଦକ୍ଷତାର ସ୍ୱାଭିମାନ ଓ ସାମାଜିକ ସ୍ୱୀକୃତି ଆବଶ୍ୟକ ବୋଲି ମତ ଦେଇ କହିଲେ ଯେ ଓଡ଼ିଶା ଗତବର୍ଷ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏବେ ଆମେ ପ୍ରଥମ ସ୍ଥାନ ଦଖଲ କରିବା ପାଇଁ ଲକ୍ଷ୍ୟ ରଖିଛୁ ।

ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ ସଂପର୍କରେ କହିଲେ ଯେ ପିଲାମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭା ରହିଛି ଏବଂ ଏହାକୁ ଉନ୍ମୋଚିତ କରିବାକୁ ପଡ଼ିବ । ଏ କ୍ଷେତ୍ରରେ ଅଭିଭାବକମାନେ ସଚେତନ ହେବା ଉଚିତ ।

କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭାଗୀୟ ସଚିବ ସିଂ କହିଲେ ଯେ ଗତଥର ଆମର ଲକ୍ଷ୍ୟ ଥିଲା ୧-୨-୩ । ଏବେ ଏଥିରେ ଆମେ ପରିବର୍ତ୍ତନ କରି ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ୨-୪-୬ ଲକ୍ଷ୍ୟ ରଖିଛୁ, ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ । ଏଥି ପାଇଁ ବିଭାଗ ଆନ୍ତରିକତାର ସହ ଉଦ୍ୟମ ଜାରି ରଖିଛି । ଆଜି ଆମର ପିଲା ବାହାରେ ଯାଇ ଖୁବ୍‌ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି । ଏହା ଆମ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ ।

ଏହି ଅବସରରେ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍‌ ଓ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ରଶ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦକ୍ଷତା ବିକାଶ କ୍ଷେତ୍ରରେ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟ ଉ ପରେ ଆଲୋକ ପାତ କରିଥିଲେ । ଶେଷରେ ବିଭାଗୀୟ ଯୁଗ୍ମ ସଚିବ ଅଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.