Odisha Link
Bridging the Missing Links in Odisha

ବସ୍‌ ଟ୍ରାଜେଡି ନେଇ ଆଜି ସମୀକ୍ଷା ବୈଠକ : ଦିବ୍ୟଶଙ୍କର

ବ୍ରହ୍ମପୁର: ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ ତାର ଲାଗି ବସ୍‌ ଯାତ୍ରୀ ମୃତାହତ ଘଟଣା। ଶକ୍ତି ମନ୍ତ୍ରୀ କ୍ୟାପେଟେନ୍‌ ଦିବ୍ୟଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତଦନ୍ତ ପାଇଁ କମିଟି ଗଠନ ହୋଇଛି। ଏ ନେଇ କମିଟି ରିପୋର୍ଟ ଦେବ। ଶକ୍ତି ବିଭାଗର ସୁପରିଟେଣ୍ଡଣ୍ଟ ଯାନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଛି। କାଲିର ଦୁର୍ଘଟଣାକୁ ନେଇ ଆଜି ଉଚ୍ଛସ୍ତରୀୟ ବୈଠକ ବସିବ। ପରିବହନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ରହିବେ। କିପରି ଓ କାହିଁକି ଦୁର୍ଘଟଣା ହେଲା ସେ ନେଇ ଆଲୋଚନା କରାଯିବ। ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଉପରେ ବି ଆଲୋଚନା ହେବ।

 ସୂଚନାଯୋଗ୍ୟ ଯେ, ବସଟି ୪୦ରୁ ଉଦ୍ଧ୍ୱର୍ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଗୋଳନ୍ଥରା ଥାନା ମେଲପତୁରୁ ନିକଟ ରାସ୍ତାରେ ଝୁଲି ରହିଥିବା ଏକ ୧୧କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ବସଟି ଚାର୍ଜ ହୋଇଯିବା ସହ ଜଳିଯାଇଥିଲା । ବସ ଭିତରେ କିଛି ଯାତ୍ରୀ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣାସ୍ଥଳରେ ୫ଟି ଆମ୍ବଲାନ୍ସ ପହଞ୍ଚି ଗୁରୁତରମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି।
ତେବେ ଏହି ଅଘଟଣରେ ଯାତ୍ରୀ ମୃତାହତ ହେବା ସମ୍ପର୍କରେ ଚିଫ ଫାୟାର ଅଫିସର ସୁକାନ୍ତ ସେଠୀ ସ୍ୱୀକାର କରିଛନ୍ତି। ବିଦ୍ୟୁତ ଆଘାତରେ କିଛି ଯାତ୍ରୀ ପୋଡ଼ି ଗୁରୁତର ହୋଇଥିବାବେଳେ କିଛି ଯାତ୍ରୀ ମୃତାହତ ହୋଇଥିବା ଶ୍ରୀ ସେଠୀ କହିଛନ୍ତି।

ତେବେ ଏଭଳି ଅଘଟଣ ପାଇଁ ବଦ୍ୟୁତ ବିଭାଗ ଦୋଷୀ ବୋଲି ଉଦ୍ଧାରକାରୀ ଲୋକେ ଅଭିଯୋଗ କରିଛନ୍ତି। ତାର ଝୁଲି ରହିଥିଲେ ବି ବିଭାଗ ପକ୍ଷରୁ ଏହାର ମରାମତି ପାଇଁ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଏ ସମ୍ପର୍କରେ ବ୍ରହ୍ମପୁର ଏସପି ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇଛି। ୫ଜଣଙ୍କ ମୃତଦେହ ମିଳିଛି। ୧୧କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସିବାରୁ ଏହି ଅଘଟଣ ଘଟିଛି। ସାଉଥକୋର ଅଧିକାରୀଙ୍କୁ ଡକାଯାଇ ଅନୁଧ୍ୟାନ ହେବ। ଏନେଇ ମାମଲା ରୁଜୁ ହେବ ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.