Odisha Link
Bridging the Missing Links in Odisha

ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରାଯାଉ : ବିଜେପି

ଭୁବନେଶ୍ୱର : ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ମେଣ୍ଡରାଜ୍‌ପୁରଠାରେ ଏକ ଯାତ୍ରୀବାହୀ ବସ୍‌ଟି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା କାରଣରୁ ୧୧ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟରେ ବର୍ନ ୟୁନିଟ ନଥିବା କାରଣରୁ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି କଟକ ବଡ ମେଡିକାଲରେ ପହଂଚି ଚିକିତ୍ସାଧୀନ ଆହତଙ୍କୁ ଭେଟି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହା ସହ ମହାନ୍ତି ଆହତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ସହ ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିଥିଲେ ।

ଆହତ ବ୍ୟକ୍ତିଙ୍କ ଚିକିତ୍ସାକୁ ଗୁରୁତର ସହ ନେଇ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଡାକ୍ତରମାନଙ୍କୁ ମହାନ୍ତି ଅନୁରୋଧ କରିଛନ୍ତି । ରାଜ୍ୟରେ ଏଭଳି ମର୍ମଦୁନ୍ତ ଘଟଣା ବାରମ୍ବାର ହେବା ସତ୍ୱେ କର୍ତୃପକ୍ଷ କୈାଣସି ପଦକ୍ଷେପ ନନେବା ପ୍ରଶାସନ ଓ ରାଜ୍ୟସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛି ।

କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ବିଜୁଳି ବିତରକ କଂପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରିବାକୁ ମହାନ୍ତି ଦାବି କରିଛନ୍ତି । ବର୍ତମାନ ବିଜୁଳି ସେବା ଯୋଗାଉଥିବା ବିତରକ କଂପାନୀ ପ୍ରତି ରାଜ୍ୟସରକାରଙ୍କ କୈାଣସି ନିୟନ୍ତ୍ରଣ ନାହିଁ ।

ବିଜୁଳି ବିତରକ କଂପାନୀମାନେ ମନୋମୁଖି କାର୍ଯ୍ୟ କରୁଛନ୍ତି । ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅତୀତରେ ଢେଙ୍କାନାଳ ଜିଲ୍ଲା ଭୁବନଠାରେ ଯାତ୍ରିବାହୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କାରଣରୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ଏପରିକି ବିଦ୍ୟୁୁତ ତାର ସଂସ୍ପର୍ଶରେ ଆସି ବହୁତ ହାତୀ ମଧ୍ୟ ଜୀବନ ହରାଇ ସାରିଲେଣି । ଫନି ଓ ହୁଡ୍‌ହୁଡ୍ ବାତ୍ୟା କାରଣରୁ କ୍ଷତିଗସ୍ତ ହୋଇଥିବା ବିଜୁଳି ଭିତିଭୂମି ସଜାଡିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ବହୁ ପରିମାଣର ଅର୍ଥ ଆସିଥିଲା । ମାତ୍ର ଭିତିଭୂମି ସଜାଡିବାରେ ରାଜ୍ୟସରକାର ବିଫଳ ହୋଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଦୁର୍ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମହାନ୍ତି ଦାବି କରିଛନ୍ତି ।

ଏହି ଅବସରରେ ପୂର୍ବତନ ସାଂସଦ ବିଭୁ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ପୂର୍ବତନ ବିଧାୟକ ପ୍ରକାଶ ବେହେରା, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ, ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ରଶ୍ମିରେଖା ଦାସ, ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲୀ, କଟକ ଜିଲ୍ଲା ସଭାପତି ଲଲାତେନ୍ଦୁ ବଡୁଙ୍କ ସମେତ ଜିଲ୍ଲା କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.