Odisha Link
Bridging the Missing Links in Odisha

କେଜ୍ରିୱାଲଙ୍କ ପଲିଟିକାଲ କାହାଣୀ!

ନୂଆଦିଲ୍ଲୀ: କ୍ରମାଗତ ୩ଥର ପାଇଁ ଦିଲ୍ଲୀର କମାଣ ଧରିବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ପଲିଟିକାଲ କ୍ୟାରିୟର ବେଶ୍ ରୋଚକମୟ। ଭାରତୀୟ ରାଜସ୍ୱ ସେବା ଚାକିରି ଛାଡ଼ି ସମାଜସେବା ଲକ୍ଷ୍ୟ ରଖି କେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଯିବେ ତାହା ରାଜନୀତି ଇତିହାସରେ ଏକ ବିଶ୍ମୟ ଘଟଣା। ଆନ୍ନା ହଜାରେଙ୍କ ସହ ଲୋକପାଳ ବିଲ ଆଗତ ପାଇଁ ଆନ୍ଦୋଳନରେ ସାମିଲ ହୋଇ ଚର୍ଚ୍ଚାର ପରିସରକୁ ଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ କ୍ୟାରିୟର ପ୍ରଥମ ସୋପାନ ତିଆରି କରିଥିଲା। ଆଉ ଏହା ପରଠୁ କେଜ୍ରିୱାଲଙ୍କ ପଲିଟିକାଲ କୁଣ୍ଡଳୀ ଖୋଲିବାରେ ଲାଗିଲା।
ହରିୟାଣାର ହିସସାର ଜିଲ୍ଲାରେ ଜନ୍ମିତ ଅରବିନ୍ଦ କେଜ୍ରିୱାଲ ଜଣେ ମେଧାବୀ ଛାତ୍ର ଥିଲେ। ଆଇଆଇଟି ଖଡଗପୁରରୁ ମେକାନିକାଲ ଇଂଜିନିୟରିଂରେ ବି-ଟେକ ଡିଗ୍ରୀ ହାସଲ କରିଛନ୍ତି କେଜ୍ରିୱାଲ। ଏହାପରେ ଇଣ୍ଡିଆନ ରେଭେନ୍ୟୁ ସର୍ଭିସରେ ସାମିଲ ହୋଇ ଆୟକର ବିଭାଗରେ ଜଏଣ୍ଟ କମିଶନର ଭାବେ ମଧ୍ୟ କାମ କରିଛନ୍ତି। ସମାଜସେବା ପ୍ରତି ସବୁବେଳେ ଆଗ୍ରହ ଥିବାରୁ ‘ପରିବର୍ତନ’ ନାମରେ ଏକ ଏନଜିଓ ଗଠନ କରି ଦିଲ୍ଲୀବାସୀଙ୍କ ସମସ୍ୟା ସମାଧାନ ଦିଗରେ କାମ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଯେଉଁଥିପାଇଁ ତାଙ୍କୁ ମେକ୍ସାସି ସମ୍ମାନରେ ସମ୍ମାନୀତ ମଧ୍ୟ କରାଯାଇଛି।
ସରକାରୀ ଚାକିରୀ ଭଲ ନଲାଗିବାରୁ ଚାକିରୀ ଛାଡି ସମ୍ପୂର୍ଣ୍ଣ ଭାବେ ସମାଜସେବା ଆରମ୍ଭ କରିଦେଇଥିଲେ କେଜ୍ରିୱାଲ। କିନ୍ତୁ କେଜ୍ରିୱାଲ ସେତେବେଳେ ଲାଇମ ଲାଇଟକୁ ଆସିଲେ, ଯେତେବେଳେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେଙ୍କ ସହ ମିଶି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇଲେ। ଏହାପରେ ଲୋକସେବା ପାଇଁ କିଛି ଅଧିକ କରିବାର ନିଶା ନେଇ ରାଜନୈତିକ ଦଳରେ ସାମିଲ ହେବାକୁ ଚିନ୍ତା କଲେ ଅରବିନ୍ଦ କେଜ୍ରିୱାଲ। ହେଲେ ଲୋକପାଳ ପାଇଁ କୌଣସି ରାଜନୈତିକ ଦଳ ସହ ଜଡିତ ରହିବେ ନାହିଁ ବୋଲି କହି ଅରବିନ୍ଦ କେଜ୍ରିୱାଲଙ୍କ ହାତ ଛାଡିଦେଲେ ଆନ୍ନା ହଜାରେ। ଏହାସହ ଅରବିନ୍ଦଙ୍କ ସାଥ ନଦେବା ପାଇଁ ‘ଇଣ୍ଡିଆ ଏଗନେଷ୍ଟ କରପସନ୍’ ଆନ୍ଦୋଳନରେ ଜଡିତ ଥିବା ସବୁ କର୍ମକର୍ତ୍ତାଙ୍କୁ ମଧ୍ୟ କହିଲେ ଆନ୍ନା ହଜାରେ। ଆଉ ଏହାପରେ ରାଜନୀତିରେ ପାଦ ଥାପିଲେ କେଜ୍ରିୱାଲ।
୨୦୧୨ରେ ‘ଆମ ଆଦମି ପାର୍ଟି’ ନାମରେ ନିଜର ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କଲେ ଅରବିନ୍ଦ କେଜ୍ରିୱାଲ। ତାଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକ ପ୍ରମୁଖ ଦଳ ଭାବେ ମୁଣ୍ଡ ଟେକିଲା । କଂଗ୍ରେସ ସହ ମିଶି ପ୍ରଥମେ ୪୯ ଦିନର ସରକାର ଚଳାଇଲେ। ପରେ ଇସ୍ତଫା ଦେଲେ କେଜ୍ରିିୱାଲ। ଏହାର ୧ ବର୍ଷ ପରେ ପୁଣିଥରେ ଦିଲ୍ଲୀରେ ନିର୍ବାଚନ ହେଲା । ଆଉ ଏଥର ୭୦ଟି ଆସନରୁ ୬୭ଟି ଆସନ ଅକ୍ତିଆର କରି ରେକର୍ଡ ସୃଷ୍ଟି କଲା କେଜ୍ରିୱାଲଙ୍କ ଆମ ଆଦମି ପାର୍ଟି । ଆଉ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବସିଲେ ଅରବିନ୍ଦ କେଜ୍ରିୱାଲ।
ଅନ୍ୟପଟେ ଦଖିବାକୁ ମିଳୁଛି ଯେ, ପୁଣିଥରେ ଦିଲ୍ଲୀ ଦଖଲ କରିବାକୁ ଯାଉଛନ୍ତି କେଜ୍ରିୱାଲ ବୋଲି ଟ୍ରେଣ୍ଡ କହୁଛି । ଏପରିକି ବିଜେପିକୁ ପୁଣି ଦିଲ୍ଲୀ ଦଖଲ କରିବାର ସ୍ୱପ୍ନକୁ ଭାଙ୍ଗି ପଦ୍ମକୁ ବନବାସ ପଠାଇପାରେ ଆପ୍ । କେବଳ ଏତିକି ନୁହେଁ ଦିଲ୍ଲୀ କଂଗ୍ରେସ ହାତ ଛାଡ଼ିବା ପରଠୁ ଯେଉଁଭଳି ଭାବେ ଦିଲ୍ଲୀର କମାଣ ସମ୍ଭାଳିଛନ୍ତି କେଜ୍ରିୱାଲ ତାହା ତାଙ୍କର ରାଜନୈତିକ ଗୋଟିଚାଳନାର ପରିଚୟ ଦେଉଛି । ଜଣେ ଆଇଆଇଟି-ଆଇଆରଏସ୍ ଓ ପରେ ଆନ୍ଦୋଳନରୁ ମୁଖ୍ୟମନ୍ତ୍ରୀ ବନିବା ମୋଦି-ଶାହାଙ୍କ ମ୍ୟାଜିକ୍ କୁ ଫିକା ପକାଇଦେବା ଏକ ବିପ୍ଳବ ସଦୃଶ ବୋଲି କହୁଛନ୍ତି ରାଜନୀତି ବିଶେଷଜ୍ଞ ।

Comments are closed.