ନିର୍ଭୟା ମାମଲା : ପୁଣି ଘୁଞ୍ଚିଲା ପୃଥକ ଫାଶି ଶୁଣାଣି

ନୂଆଦିଲ୍ଲୀ : ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ନିର୍ଭୟା ମାମଲାର ଦୋଷୀଙ୍କୁ ପୃଥକ୍ ଭାବେ ଫାଶୀ ଦେବା ନିମନ୍ତେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଆସନ୍ତାକାଲି କରାଯିବ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି। ଶୁଣାଣି ସମୟରେ ସୁପ୍ରିମ୍ କୋର୍ଟ ନିର୍ଭୟା ମାମଲାର ସମସ୍ତ ଦୋଷୀମାନଙ୍କୁ କହିଛନ୍ତି ଯେ, ସେମାନେ କେନ୍ଦ୍ର ସରକାରଙ୍କ ପୃଥକ ଫାଶୀ ଆବେଦନର ପ୍ରତ୍ୟୁତ୍ତର ଶୁକ୍ରବାର ସୁଦ୍ଧା ଦାଖଲ କରନ୍ତୁ। ଏଥିସହ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବିନୟ।
ଅନ୍ୟପଟେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଫାଶୀ ଦଣ୍ଡ କାର୍ଯ୍ୟକାରୀ ପାଇଁ ନୂଆ ଡେଥ ୱାରେଂଟ ଘୋଷଣା କରିପାରନ୍ତି। ଏନେଇ ନିର୍ଭୟାଙ୍କ ମାତା ପିତା ଓ ଦିଲ୍ଲୀ ସରକାର ୪ ଦୋଷୀଙ୍କ ବିରୋଧରେ ନୂଆ ଡେଥ ୱାରେଂଟ ଜାରି ପାଇଁ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଗତକାଲି ନୂଆ ଡେଥ ୱାରେଂଟ ଜାରି ଉପରେ କୋର୍ଟରେ ଶୁଣାଣି ହୋଇଥିଲା। ଦୋଷୀଙ୍କ ଓକିଲ କୋର୍ଟରେ ତଥ୍ୟ ନରଖିବାରୁ ଏହି ମାମଲାର ଶୁଣାଣୀ ଆଜିକୁ ଘୁଞ୍ଚାଇଛନ୍ତି ଖଣ୍ଡପୀଠ।