Odisha Link
Bridging the Missing Links in Odisha

ଶିଳ୍ପ ପାଇଁ ୫୯୯ ହେକ୍ଟର ଜଙ୍ଗଲ ନଷ୍ଟ

ଭୁବନେଶ୍ବର: ୨୦୧୧ ମସିହାରେ ରାଜ୍ୟରେ ୫୮୧୩୬ ବର୍ଗ କିମି ଜଙ୍ଗଲ ଥିଲା। ୨୦୧୦ ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଳ୍ପ ତଥା ଆନୁସଙ୍ଗିକ ଅନୁଷ୍ଠାନ ପାଇଁ ଦଶଟି ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ବିକାଶ ନାଁରେ ଗଛ କାଟି ନଷ୍ଟ ହେଉଛି ଜଙ୍ଗଲ।

ଆଜି ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ୨୦୧୦ରେ ରାଜ୍ୟରେ କେତେ ଜଙ୍ଗଲ ଜମି ଥିଲା ? କେଉଁ କେଉଁ ବର୍ଷରେ ଜିଲ୍ଲାରେ କେତେ ଜଙ୍ଗଲ ଜମି କେଉଁ କେଉଁ ଶିଳ୍ପ ସଂସ୍ଥାକୁ ଦିଆଯାଇଛି? ସରକାର ଜଙ୍ଗଲ ସୃଷ୍ଟି କରିବା ପାଇଁ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାର ତଥ୍ୟ ପ୍ରଦାନ କରନ୍ତୁ।

କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଡେରାଡୁନ ଦ୍ୱାରା ଜଙ୍ଗଲିଆ ଅଞ୍ଚଳରେ ସର୍ବେକ୍ଷଣ କରାଯାଇ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଥରେ ତଥ୍ୟ ପ୍ରଦାନ କରାଯାଉଛି । ୨୦୧୧ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ୫୮୧୩୬ ବର୍ଗ କିମି ଜଙ୍ଗଲ ଜମି ଥିଲା। ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଳ୍ପ ତଥା ଆନୁସଙ୍ଗିକ ଅନୁଷ୍ଠାନ ପାଇଁ ଦଶଟି ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜମି ଜଙ୍ଗଲ ନଷ୍ଟ ହୋଇଛି। ସମ୍ବଲପୁର, ଅନୁଗୋଳ, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ନଷ୍ଟ ହୋଇଛି ଜଙ୍ଗଲ ଜମି। ଅନ୍ୟପଟେ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଯୋଜନା ମାଧ୍ୟମରେ ୨୧ ଲକ୍ଷ ୨୭ ହଜାର ୬୮୬ ହେକ୍ଟର ଜମିରେ ବନୀକରଣ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

Comments are closed.