Odisha Link
Bridging the Missing Links in Odisha

୭୩୨ଟି ଗାଁ ରାସ୍ତା ନିର୍ମାଣ ଚାଲିଛି: ସୁଶାନ୍ତ ସିଂ

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ରାସ୍ତାର ଦୟନୀୟ ସ୍ଥିତି। ଏନେଇ ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ବିଧାୟକ। ବିଜେଡି ବିଧାୟକ ମନୋହର ରନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କୁସୁମ ଟେଟେ, ପ୍ରମୋଦ ମଲ୍ଲିକ ପ୍ରମୁଖ ଗ୍ରାମାଞ୍ଚଳ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ।

ଏହାପରେ ବିଧାୟକ ମନୋହର ରନ୍ଧାରୀଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ସୁଶାନ୍ତ ସିଂ। ଉତ୍ତର ରଖି କହିଲେ ଯେ, ୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୦୧୭୮ ଗାଁ ରହିଛି। ଏଥିରୁ ୨୯୫୩୭ ଗାଁ କୁ ରାସ୍ତା ଅଛି।, ୧୮୪୭୭ ଗାଁକୁ ରାସ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା କରିବା ପାଇଁ ଯୋଜନା ହୋଇଥିଲା ବୋଲି କହିଛନ୍ତି ସୁଶାନ୍ତ ସିଂ।

ଏଥିରୁ ରାଜ୍ୟର ୧୭୦୮୯ ଗାଁକୁ ରାସ୍ତା ମାଧ୍ୟମରେ ସଂଯୋଗ କରିବାକୁ ଅର୍ଥ ମଞ୍ଜୁର ହୋଇଥିଲା । ଏଥିରୁ ୧୬୩୪୭ ଗାଁକୁ ସଂଯୋଗ ସରିଛି। ୭୩୨ ଟି ଗାଁକୁ ସଂଯୋଗ କାମ ଚାଲିଛି ,୨୧ ଟି ରାସ୍ତା ନିର୍ମାଣ କାମ ବାତିଲ ହୋଇଛି। ଏହା ବ୍ୟତୀତ ୧୮ ଟି ଆଇଏପି ଜିଲ୍ଲାର ୨୫୦ ରୁ ଉର୍ଦ୍ଧ୍ବ, ନନ୍ ଆଇଏପି ଜିଲ୍ଲାର ୫୦୦ ରୁ ଅଧିକ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଶହେରୁ ଅଧିକ ଗାଁକୁ ରାସ୍ତା କାମ ହେଉଛି , ଏହା ବ୍ୟତିତ ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ବରାଦ ହେଉଛି ବୋଲି କହିଛନ୍ତି ସୁଶାନ୍ତ ସିଂ।

୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା- ୨ରେ ରାଜ୍ୟରେ ୬୫୦ ରାସ୍ତା ପାଇଁ ଯୋଜନା ହୋଇଥିବା ବେଳେ ୧୬୧୫.୫୧ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି।ଏଥିରୁ ୯ଟି ରାସ୍ତା ସମ୍ପୂର୍ଣ୍ଣ ହୋଇଛି। ୬୨୭ ରାସ୍ତା ନିର୍ମାଣ ଚାଲୁ ରହିଛି। ୧୪ଟି ରାସ୍ତା କାମ ବିଭିନ୍ନ କାରଣରୁ ବିଳମ୍ବିତ ହୋଇଛି।

ଯୋଜନା ଓ ସଂଯୋଜନ ବିଭାଗ ଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ୱେବସାଇଟ କରିବାକୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବାଚସ୍ପତିଙ୍କ ପରାମର୍ଶ। ଏହାଦ୍ଵାରା ବିଧାୟକ ମାନେ ଅର୍ଥ କେଉଁଭଳି ଖର୍ଚ୍ଚ ହେଲା ଜାଣି ପାରିବେ ଆଉ ଏତେ ପ୍ରଶ୍ନ କରିବେ ନାହିଁ ବୋଲି କହିଲେ ବାଚସ୍ପତି।

Comments are closed.