Odisha Link
Bridging the Missing Links in Odisha

ମାର୍ଚ୍ଚ ପହିଲାରୁ ଆଉ ନିସ୍ତାର ନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଆଉ ନିସ୍ତାର ନାହିଁ। ୬ ମାସର କଂଟ ପୂରିଲା, ଏଣିକି ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ କଡାକଡି ଭାବେ ଚେକିଂ ହେବ ନୂଆ ମୋଟର ଯାନ ଆଇନ। ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ତ୍ରାହି। ମୋଟା ଅଙ୍କର ଜୋରିମାନା ସାଙ୍ଗକୁ ରଦ୍ଦ ହୋଇପାରେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ ଦୁର୍ଘଟଣାର ହାର ହ୍ରାସ କରିବାକୁ ଟ୍ରାଫିକ ନିୟମକୁ କଡାକଡି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୭୦ ପ୍ରତିଶତ ପୋଲିସ କର୍ମଚାରୀ ଗାଡି ମୋଟର ଯାଞ୍ଚ କରିବେ। ଅଧିକାଂଶ ଲୋକ ଗାଡି କାଗଜପତ୍ର ଠିକ୍ କରି ସାରିଲେଣି, ଆଉ ଆର୍‌ଟିଓରେ ଭିଡ ନାହିଁ।

ସୂଚନାଯୋଗ୍ୟ, ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଫାଇନ ଦେବାକୁ ପଡିବ । ସେହିଭଳି ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ। ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୩ଶହ ଓ ତୃତୀୟ ଥର ଧରାପଡିଲେ ୫ ଶହ ଓ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ। ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ । ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବେ ଟ୍ରାଫିକ ବିଭାଗର କର୍ମଚାରୀ । ମୋବାଇଲରେ କଥା ହୋଇ ଗାଡି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ। କାରର ସିଟ୍ ବେଲଟ୍ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡିବ। ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିକୁ ବାଟ ନଛାଡିଲେ ୧୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାବ ବେହେରା।

Comments are closed.