Odisha Link
Bridging the Missing Links in Odisha

ସ୍ପେଶାଲ ଫୋକସ୍‌ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ବର: ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ଅନୁଷ୍ଠିତ ପୂର୍ବାଞ୍ଚଳ କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟରେ ଯୁଝୁଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ଦାବି କରିଛନ୍ତି। ସେହିପରି ବ୍ୟାଙ୍କ, ଟେଲି ଘନତ୍ୱ ଓ କୋଇଲା ରୋୟାଲଟି ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଟେଲି, ବ୍ୟାଙ୍କ, ରେଳ ଓ ରୋଡ ଘନତ୍ୱରେ ପୂର୍ବାଞ୍ଚଳ ନିମ୍ନରେ ରହିଛି । ଜାତୀୟ ହାରସ୍ତରକୁ ଆଣିବାକୁ ହେଲେ ଅଧିକ କେନ୍ଦ୍ର ଅନୁଦାନ ଲୋଡ଼ା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ସେହିପରି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ ପାଇଁ ସ୍ପେଶାଲ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ମଧ୍ୟ ଦାବି କରିଛନ୍ତି। ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସେ ଦାବି କରିଛନ୍ତି। ୨୦୧୨ରୁ ଏଯାଏଁ କୋଇଲା ରୟାଲଟି ନବୀକରଣ କରାଯାଇନାହିଁ। ତୁରନ୍ତ କୋଇଲା ରୟାଲଟି ବୃଦ୍ଧି ଓ କ୍ଲିନ ଏନର୍ଜି ସେସ ଭାଗ ଲୋଡ଼ା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି।

ସପେଟେ ଧାନ ସଂଗ୍ରହ ସବସିଡି ମିଳୁନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ସବସିଡି ମିଳିବାରେ ବିଳମ୍ବ ଯୋଗୁଁ ଚାଷୀମାନେ ହଇରାଣ ହେଉଥିବା ସେ କହିଛନ୍ତି। ରେଳ ଭିତ୍ତିଭୂମି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ମାଗଣା ଜମି ଓ ୫୦% ଅର୍ଥ ଦେଉଛି। ଏହା ସତ୍ତ୍ୱେ ବି କାର୍ଯ୍ୟରେ ଯଥେଷ୍ଟ ଅଗ୍ରଗତି କରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିବା ବେଳେ ଝାଡଖଣ୍ଡ ମୁଖ୍ୟମନ୍ତୀ ହେମନ୍ତ ସୋରେନ କୌଣସି କାରଣରୁ ଯୋଗଦେଉ ନଥିବାରୁ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଯୋଗଦେଇଛନ୍ତି। ଏହି ବୈଠକରେ କେନ୍ଦ୍ର ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ସଦସ୍ୟ ରାଜ୍ୟମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ମନୋମାଳିନ୍ୟ ପରିଷଦରେ ଆଲୋଚନା ଦ୍ୱାରା ସମାଧାନ କରାଯିବା ସହ ଆଞ୍ଚଳିକ ପରିଷଦ ଅନେକ ବିଷୟ ବସ୍ତୁ ଯଥା: ସୀମା ସମ୍ପର୍କିତ ବିବାଦ, ନିରାପତ୍ତା, ସଡକ ପରିବହନ, ଶିଳ୍ପ, ଜଳ ଓ ଶକ୍ତି ଭଳି ସମ୍ପର୍କିତ ବିଭିନ୍ନ ଭିତିଭୂମି, ଜଙ୍ଗଲ ଓ ପରିବେଶ, ଗୃହ, ଶିକ୍ଷା, ଖାଦ୍ୟ ନିରାପତ୍ତା, ପର୍ୟ୍ୟଟନ ଓ ପରିବହନ ଭଳି ବିଷୟଗୁଡିକ ମଧ୍ୟ ଆଲୋଚନା ପରିସରଭୁକ୍ତ ହୋଇଥାଏ।

Comments are closed.