Odisha Link
Bridging the Missing Links in Odisha

୧୩ ବର୍ଷ ପରେ ରଣଜୀ ଫାଇନାଲରେ ବେଙ୍ଗଲ, ଦଳରେ ସାମିଲ ହେଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳି

କୋଲକାତା: ୧୩ ବର୍ଷପରେ ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ ଟିମ୍‌। ପେସ୍ ବୋଲର ମୁକେଶ କୁମାରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଳରେ ବେଙ୍ଗଲ ଟିମ୍ ରଣଜୀ ଟ୍ରଫି ସେମିଫାଇନାଲର ଚତୁର୍ଥ ଦିବସରେ କର୍ଣ୍ଣାଟକାକୁ ୧୭୪ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି।

ବେଙ୍ଗଲ ଦ୍ୱାରା ଧାର୍ଯ୍ୟ ୩୫୨ ରନର ଲକ୍ଷ୍ୟର ପିଛା କରୁଥିବା କର୍ଣ୍ଣାଟକା ଦ୍ୱିତୀୟ ଇନିଂସରେ ୧୭୭ ରନରେ ହିଁ ସୀମିତ ରହିଯାଇଥିଲା। ବେଙ୍ଗଲ ପକ୍ଷରୁ ମୁକେଶ ୬୧ ରନ୍ ଦେଇ ସର୍ବାଧିକ ୬ ୱିକେଟ୍ ନେଇଛନ୍ତି। ସେହିପରି ଇଶାନ୍ ପୋରେଲ୍ ଓ ଆକାଶ ଦୀପ ୨ଟି ଲେଖାଏ ୱିକେଟ୍ ପାଇଛନ୍ତି। କର୍ଣ୍ଣାଟକା ଟିମ୍ ମଙ୍ଗଳବାର ସକାଳେ ୩ ୱିକେଟରେ ୯୮ ରନରୁ ଖେଳ ଆରମ୍ଭ କରିଥିଲା ଏବଂ ଟିମ୍ ପ୍ରଥମ ସେସନରେ ହିଁ ୧୭.୩ ଓଭରରେ ୭୯ ରନ୍ ଯୋଡ଼ି ବାକି ୭ ୱିକେଟ୍ ହରାଇଥିଲା।

ବେଙ୍ଗଲ ଶେଷଥର ପାଇଁ ୧୯୮୯-୯୦ରେ ସୌରଭ ଗାଙ୍ଗୁଲିଙ୍କ ପଦାର୍ପଣ ସିଜନରେ ହିଁ ରଣଜୀ ଟାଇଟଲ୍ ଜିତିଥିଲା। ଏହାଛଡ଼ା ଶେଷଥର ପାଇଁ ୨୦୦୭ ସଂସ୍କରଣରେ ବେଙ୍ଗଲ ଫାଇନାଲରେ ସ୍ଥାନ ହାସଲ କରିଥିଲା, କିନ୍ତୁ ଟାଇଟଲ୍ ମୁକାବିଲାରେ ଦଳ ମୁମ୍ବାଇଠାରୁ ୧୩୨ ରନରେ ହାରିଯାଇଥିଲା। ଅପରପକ୍ଷେ ଗୁଜୁରାଟ ଓ ସୌରାଷ୍ଟ୍ର ଦଳ ମଧ୍ୟରେ ଆଉ ଏକ ସେମିଫାଇନାଲ ମ୍ୟାଚ ଚାଲୁ ରହିଛି। ଏହି ମ୍ୟାଚର ବିଜେତାଙ୍କ ସହ ବେଙ୍ଗଲ ଟିମ୍‌ ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳିବ।

ଏଥିସହିତ ବେଙ୍ଗଲ ଟିମ୍‌ ପାଇଁ ଖୁସି ଖବର। ଭାରତୀୟ ଟେଷ୍ଟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହାଙ୍କୁ ବେଙ୍ଗଲ ରଣଜୀ ଟ୍ରଫି ଟିମରେ ସାମିଲ୍ କରାଯାଇଛି। ଯିଏ ମାର୍ଚ୍ଚ ୯ ତାରିଖରେ ଫାଇନାଲ୍ ମୁକାବିଲା ଖେଳିବେ। ସାହାଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିଷେକ ରମନଙ୍କ ସ୍ଥାନରେ ସୁଯୋଗ ମିଳିପାରେ।

ସାହାଙ୍କୁ ବାଂଲାଦେଶ ବିପକ୍ଷ ଇଡେନ୍ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟରେ ଡାହାଣ ହାତର ଅଙ୍ଗୁଳିରେ ଆଘାତ ଲାଗିଥିଲା। ଫିଟ୍ ହେବା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଥିଲା। ତେବେ ଏହି ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର ଅନ୍ତିମ ଏକାଦଶରେ ସ୍ଥାନ ମିଳିନଥିଲା। ସାହା ବେଙ୍ଗଲ ପକ୍ଷରୁ ଶେଷଥର ପାଇଁ ୨୦୧୭-୧୮ ସିଜନରେ ରଣଜୀ ମ୍ୟାଚ୍ ଖେଳିଥିଲେ ଏବଂ ସେ ୪ଟି ମ୍ୟାଚରେ ୩୮.୩୩ ହାରରେ ରନ୍ କରିଥିଲେ। ଚୟନକର୍ତ୍ତା ଉଦୀୟମାନ ବ୍ୟାଟ୍ସମ୍ୟାନ୍ ସୁଦୀପ ଘରାମୀଙ୍କୁ ମଧ୍ୟ ଟିମରେ ସ୍ଥାନ ଦେଇଛନ୍ତି।

Comments are closed.