Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ଶୀର୍ଷରେ ଟିମ୍‌ ଇଣ୍ଡିଆ

ଦୁବାଇ: ଆଜି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌ ପ୍ରକାଶ କରିଛି। ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତୀୟ ଟିମ୍ ପ୍ରଥମଥର ଲାଗି କୌଣସି ସିରିଜରେ ପରାସ୍ତ ହୋଇ ସୁଦ୍ଧା ନୂଆ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ସୁରକ୍ଷିତ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ୦-୨ରେ ହାରିବା ସତ୍ତ୍ୱେ ଭାରତୀୟ ଟିମ୍ ଓ ଅଧିନାୟକଙ୍କର କିଛି କ୍ଷତି ହୋଇନାହିଁ। ବରଂ ସିରିଜ ଜିତିଥିବା କିଓ୍ବି ଦଳର ଅଧିନାୟକ ଓ୍ବିଲିମସନଙ୍କ କ୍ଷତି ହୋଇଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କିଓ୍ବି ଦଳର ଅଧିନାୟକ ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥ ସ୍ଥାନରେ ପହଁଞ୍ଚିଛନ୍ତି।

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବର୍ତ୍ତମାନ ଟିମ୍‌ ଇଣ୍ଡିଆ ୧୧୬ ରେଟିଂ ପଏଣ୍ଟ ରହିଛି, ଯାହା ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡଠାରୁ ୬ ପଏଣ୍ଟ ଅଧିକ। ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜର ଚାରୋଟି ଇନିଂସରେ ମାତ୍ର ୩୮ ରନ୍ କରିଥିବା କୋହଲି ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ସେ ସିରିଜ୍ ପୂର୍ବରୁ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିଲେ, କିନ୍ତୁ ପ୍ରଥମ ଟେଷ୍ଟ ପରେ ଦ୍ୱିତୀୟକୁ ଖସି ଆସିଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ସ୍ମିଥ୍ କୋହଲିଙ୍କଠାରୁ ୨୫ ପଏଣ୍ଟ ଆଗରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୪ଟି ଯାକ ଇନିଂସରେ ମାତ୍ର ୯୧ ରନ୍ କରିଥିବା ଭାରତୀୟ ଦଳର ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ନବମ ସ୍ଥାନକୁ ଖସି ଆସିଛନ୍ତି।

ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମରେ ପହଞ୍ଚିଛନ୍ତି। ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜରେ ୧୦୦ ରନ୍ କରିଥିଲେ। ତାଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ୍ ଭାରତର ଟପ୍ ସ୍କୋରର ଭାବେ ୧୦୨ ରନ୍ କରିଥିଲେ। ଏହା ସତ୍ତ୍ୱେ ମୟଙ୍କଙ୍କୁ ରାଙ୍କିଙ୍ଗରେ କ୍ଷତି ହୋଇଛି। ମୟଙ୍କ ଏବେ ଟପ୍‌-୧୦ରେ ବାଦ୍ ପଡ଼ି ଏକାଦଶ ସ୍ଥାନକୁ ଖସି ଆସିଛନ୍ତି। ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଟମ୍ ବ୍ଲଣ୍ଡେଲ, ଭାରତର ପୃଥ୍ୱୀ ଶ’ଙ୍କୁ ଫାଇଦା ହୋଇଛି।

ବୋଲରଙ୍କ ରାଙ୍କିଙ୍ଗରେ ଭାରତର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା ୪ଟି ସ୍ଥାନ ଉପରକୁ ଉଠି ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ସିରିଜରେ ୬ ୱିକେଟ୍ ନେଇଥିବା ବୁମ୍ରା ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି କିୱି ଦଳର ପେସ୍ ବୋଲର ଟିମ୍ ସାଉଦୀଙ୍କୁ ମଧ୍ୟ ଦୁଇଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ନୂଆ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ତାଙ୍କ ସାଥୀ ପେସର୍ ଟ୍ରେଣ୍ଟ ବୋଲ୍ଟ ୪ଟି ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି।

ବୋଲରଙ୍କ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୯୦୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର ନିଲ୍ ୱାଗନର ୮୪୩ ପଏଣ୍ଟ ସହ ଦ୍ୱିତୀୟ ଏବଂ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର ତୃତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି। ଅଲରାଉଣ୍ଡରଙ୍କ ତାଲିକାରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଯଥାକ୍ରମେ ତୃତୀୟ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।

Comments are closed.