ଦିଲ୍ଲୀ ହିଂସାକୁ ଭୁଲାଇବା ପାଇଁ କରୋନା ଭୟ ସୃଷ୍ଟି କରାଯାଉଛି: ମମତା

କୋଲକାତା: ଦିଲ୍ଲୀ ହିଂସା ଘଟଣାକୁ ଭୁଲାଇବା ପାଇଁ ମୋଦୀ ସରକାର କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି କରୁଛନ୍ତି। ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ, “କରୋନା ଏକ ଭୟଙ୍କର ରୋଗ। ହେଲେ ଏହାକୁ ନେଇ କିଛି ବ୍ୟକ୍ତି ଆତଙ୍କ ସୃଷ୍ଟି କରୁଛନ୍ତି। କିଛି ଚ୍ୟାନେଲ ଦିଲ୍ଲୀ ହିଂସା ଘଟଣାକୁ ଲୁଚାଇବାକୁ ଯାଇ ଏଭଳି କାମ କରୁଛନ୍ତି।
ଯେତେବେଳେ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ସେତେବେଳେ ଆମେ ଏହା ଚାହୁଁନାହୁଁ ଦେଶରେ ଏହି ଘାତକ ଭାଇରସ ବିସ୍ତାର ହେଉ। ତେବେ ଦିଲ୍ଲୀ ହିଂସାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ଭୁଲି ନଯିବା ଉଚିତ୍ ଯେ ସେମାନେ କରୋନା ଭାଇରସ ପାଇଁ ମୃତ୍ୟୁ ବରଣ କରି ନାହାନ୍ତି ବରଂ ସୁସ୍ଥ ଲୋକ ହତ୍ୟାର ଶିକାର ହୋଇଛନ୍ତି। ଦିଲ୍ଲୀ ହିଂସା ଘଟଣାକୁ ଲୁଚାଇବାକୁ ଯାଇ କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି କରାଯାଉଛି। ମୁଁ କେନ୍ଦ୍ର ସରକାରଙ୍କ ଅହଂକାର ବାବଦରେ ଭାବୁଛି। ସେମାନେ କହୁଛନ୍ତି ଗୋଲି ମାରୋ, ମୁଁ ସେମାନଙ୍କୁ ଚେତାବନୀ ଦେଉଛି ବଙ୍ଗଳା ଏବଂ ୟୁପି ସମାନ ନୁହେଁ।”
ସୂଚନାଯୋଗ୍ୟ, ଏଯାବତ ଦେଶରେ ୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି। ମାରାତ୍ମକ କୋଭିଡ -୧୯ ରୋଗରେ ୩୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବିଶ୍ୱରେ ୯୦,୦୦୦ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।