ଭୟଭୀତ ହୁଅନ୍ତୁ ନାହିଁ : ଜିଲ୍ଲାପାଳ

ପୁରୀ: କରୋନା ମୁକାବିଲା ପାଇଁ ଗୁରୁବାର ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସିଡିଏମଓ, ଏଡ଼ିଏମ, ପର୍ଯ୍ୟଟନ ଅଧିକାରୀ, ପିଡ଼ି ଡ଼ିଆରଡ଼ିଏ ଉପସ୍ଥିତ ରହିଥିଲେ। ବୈଠକ ପରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଭୟଭୀତ ହୁଅନ୍ତୁ ନାହିଁ, ଗୁଜବ ପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ। ଜିଲ୍ଲା ହସ୍ପିଟାଲଗୁଡ଼ିକୁ ମଧ୍ୟ ରାଜ୍ୟ ସରକାର ମନିଟର କରୁଛନ୍ତି। ଏହାସହ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହ ହୋଟେଲଗୁଡ଼ିକୁ ମଧ୍ୟ ଉପଦେଶନାମା ଜାରି କରାଯାଇଛି। ବିଦେଶୀ ପର୍ଯ୍ୟଟକମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ମଧ୍ୟ ସେମାନଙ୍କ ମଧ୍ୟରୁ କରୋନା ଆକ୍ରାନ୍ତ ନେଇ ସନ୍ଦେହ ହୁଏ, ତେବେ ସିଡ଼ିଏମଓଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି। ପୁରୀକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ସ୍କ୍ରିନିଂ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।