Odisha Link
Bridging the Missing Links in Odisha

ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ ଭୁବନେଶ୍ବରର ଏକ ହୋଟେଲରେ ଠାବ

ଭୁବନେଶ୍ୱର: କଟକ ବଡ଼ ଡାକ୍ତରଖାନାରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧଙ୍କୁ ଆଜି ଭୁବନେଶ୍ୱରରେ ଠାବ କରାଯାଇଛି। ଭୁବନେଶ୍ୱରର ହୋଟେଲ ଟ୍ରାଇଡେଣ୍ଟ୍ ହୋଟେଲରେ ଥିଲେ ଏହି ବିଦେଶୀ ନାଗରିକ। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଯୁବକଙ୍କୁ କରୋନା ସଂକ୍ରମଣ ସନ୍ଦେହରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ସେ ଏସସିବିର ଆଇସୋଲେସନ୍ ୱାର୍ଡରୁ ଚମ୍ପଟ୍ ମାରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କରୋନା ସ୍ପେଶାଲ ଆଇସୋଲେସନ ୱାର୍ଡରୁ ସନ୍ଦିଗ୍ଧ ରୋଗୀ କିପରି ଫେରାର୍ ହୋଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଆର୍ୟଲାଣ୍ଡର ଏହି ବିଦେଶୀ ମହିଳା ଚମ୍ପଟ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି।
ଏପଟେ, ଓଡ଼ିଶାରେ କରୋନା ଭୂତାଣୁ ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଏହି କ୍ରମରେ ପୁରୀରେ ଜାରି ହୋଇଛି ଆଲର୍ଟ। ପୁରୀକୁ ପ୍ରତିଦିନ ଶହ ଶହ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ କରୋନା ପାଇଁ ପୁରୀରେ ଆଲର୍ଟ ଜାରି କରାଯାଇଛି। ସବୁ ହୋଟେଲକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। କାରଣ ପ୍ରତି ମାସରେ ପୁରୀକୁ ୫ ଶହରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଏବେ ବିଶ୍ୱରେ ୮୫ରୁ ଅଧିକ ଦେଶରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖାଯାଇଛି। ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଯାଞ୍ଚ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।
ହୋଟେଲରେ ରହୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ କରୋନା ଭୂତାଣୁ ଲକ୍ଷଣ ଦେଖା ଦେଲେ ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ଜଣାଇବାକୁ କୁହାଯାଇଛି। ସନ୍ଦେହ ହେଲେ ସେମାନଙ୍କୁ ତୁରନ୍ତ ଆଣି କରୋନା ୱାର୍ଡରେ ଭର୍ତ୍ତି କରାଯିବ ବୋଲି କୁହାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ପାରା ମେଡିକାଲ ଷ୍ଟାଫଙ୍କୁ ନେଇ ଏକ ରାପିଡ୍ ଆକ୍ସନ ଫୋର୍ସ ଗଠିତ ହୋଇଛି । ସେପଟେ ପୁରୀ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। ପୁରୀରେ ଘରୋଇ ଭାବେ ଚିକିତ୍ସା ସେବା ଯୋଗାଉଥିବା ଡାକ୍ତର ଓ ଡାକ୍ତରଖାନା କରୋନା ରୋଗୀ ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ରାପିଡ୍ ଆକ୍ସନ ଫୋର୍ସକୁ ଜଣାଇବାକୁ କୁହାଯାଇଛି।

Comments are closed.