ଘରୋଇ ବ୍ୟାଙ୍କରେ କାହିଁକି ରଖିଲ: ସୁର

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଜାତୀୟ ବ୍ୟାଙ୍କରେ ଟଙ୍କା ନରଖି ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତିକି ଏହା ପଛରେ ଉଦେ୍ଧଶ୍ୟ କ’ଣ ବୋଲି ପ୍ରଶ୍ନ କରି ଏହାର ନିରପେକ୍ଷ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି। କେବଳ ସେତିକି ନୁହେଁ ମହାପ୍ରଭୁଙ୍କ ଟଙ୍କାକୁ ଏମିତି ହେରଫେର କଲେ ଆନେ୍ଦାଳନ କରାଯିବାକୁ ସୁର ରାଉତରାୟ ଚେତବାନୀ ଦେଇଛନ୍ତି।
ସୁର ରାଉତରାୟଙ୍କ ପୂର୍ବରୁ ୟେସ ବ୍ୟାଙ୍କରେ ପୁରୀ ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଉଦବେଗ ପ୍ରକାଶ କରିଥିଲେ। ୟେସ ବ୍ୟାଙ୍କରେ ପୁରୀ ଶ୍ରୀମନ୍ଦିର ଟଙ୍କା ଜମା କରିବା ଏକ ଭୁଲ ପଦକ୍ଷେପ ଥିଲା ବୋଲି ଶ୍ରୀ ମହାନ୍ତି କହିଥିଳେ। ସେ କହିଥିଲେ ଯେ, ଅଧିକ ସୁଧ ଲୋଭରେ ତତକାଳୀନ ଶ୍ରୀମନ୍ଦିର ପ୍ରଶାସକ ଟଙ୍କା ରଖିଛନ୍ତି। ଏହା ନିଶ୍ଚିତଭାବେ ଏକ ଭୁଲ ପଦକ୍ଷେପ ଥିଲା। ୟେସ ବ୍ୟାଙ୍କ ଦେବାଳିଆ ହେବା ନିଶ୍ଚିତରେ ଉଦବେଗଜନକ। ଆରବିଆଇ ସହ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ରଭାବେ ଆଲୋଚନା କରିବା ଉଚିତ। ମହାପ୍ରଭୁଙ୍କ ଟଙ୍କା କିପରି ଉଠାଣ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରନ୍ତୁ ବୋଲି ମହେଶ୍ୱର ମହାନ୍ତି କହିଥିଲେ।
ଅନ୍ୟପକ୍ଷରେ ୟେସ ବ୍ୟାଙ୍କର ଦେବାଳିଆ ସ୍ଥିତି ପାଇଁ ଆରବିଆଇ ପକ୍ଷରୁ କଡ଼ା ପ୍ରସଙ୍ଗରେ ମୁଖ୍ୟ ଅର୍ଥ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୟେସ ବ୍ୟାଙ୍କର କୌଣସି ଗ୍ରାହକ ଚିନ୍ତା କରନ୍ତୁ ନାହିଁ । କିଛି ଅସୁବିଧା ହେବ ନାହିଁ। ଜମାକାରୀଙ୍କ ଅର୍ଥ ସୁରକ୍ଷିତ । ଭୟ କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି ।
Comments are closed.