Odisha Link
Bridging the Missing Links in Odisha

ରାଜ୍ୟସଭା ନାମାଙ୍କନ ଭରିଲେ ଦିଗବିଜୟ ସିଂହ, କହିଲେ ଆମ ବିଧାୟକଙ୍କୁ ରଖାଯାଇଛି ଅଟକ

ଭୋପାଲ: ଭାରତୀୟ ଜନତା ପାର୍ଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାମିଲ ଓ ୨୨ କଂଗ୍ରେସ ନେତାଙ୍କ ଇସ୍ତଫା କମଲନାଥଙ୍କ ସରକାରକୁ ସଙ୍କଟରେ ପକାଇଛି। ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ସଙ୍କଟ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅପରପକ୍ଷେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବୋଲି ମଧ୍ୟ ଜଣାପଡ଼ିଛି।

ନାମାଙ୍କନ ପତ୍ର ଦାଖଲ କଲାପରେ ମଧ୍ୟପ୍ରଦେଶ ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ଦିଗବିଜୟ ସିଂହ। ସେ କହିଛନ୍ତି ଯେ, ବିଧାନସଭାରେ ବହୁମତ ପରୀକ୍ଷା ହୋଇ ପାରିବ ନାହିଁ । କାରଣ ୧୯ ବିଧାୟକଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନାହିଁ। ସେମାନଙ୍କୁ ନିଜେ ବାଚସ୍ପତିଙ୍କ ନିକଟକୁ ଆସିବାକୁ ପଡ଼ିବ ଓ ଇସ୍ତଫା ନେଇ କହିବାକୁ ପଡ଼ିବ। ସେହି ବିଧାୟକଙ୍କୁ ବିଜେପି ଅଟକ ରଖିଛି ବୋଲି କହିଛନ୍ତି ଦିଗବିଜୟ ସିଂହ।

ଅପରପକ୍ଷେ ବିଜେପିର ମଧ୍ୟପ୍ରଦେଶ ଚିଫ୍ ହ୍ୱିପ ନରୋତ୍ତମ ମିଶ୍ରା କହିଛନ୍ତି, “ଯେହେତୁ ବର୍ତ୍ତମାନର ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି, ଆମେ ରାଜ୍ୟପାଳ ଓ ବାଚସ୍ପତିଙ୍କୁ ଫ୍ଲୋର ଟେଷ୍ଟ କରିବାକୁ ଦାବି କରିବୁ। ଆସନ୍ତା ୧୬ରେ ଫ୍ଲୋର ଟେଷ୍ଟ ହେବା ଦରକାର। କାରଣ ରାଜ୍ୟର ବଜେଟ ଅଧିବେଶନ ୧୬ ତାରିଖରେ ଆରମ୍ଭ ହେଉଛି। ରାଜ୍ୟପାଳ ଓ ବାଚସ୍ପତିଙ୍କ ନିକଟରେ ୨୨ ବିଧାୟକଙ୍କ ଇସ୍ତଫାପତ୍ର ରହିଛି। ତେଣୁ ସେମାନେ ପରବର୍ତ୍ତୀ ନିଷ୍ପତ୍ତି ନେବେ।”

୨୨ ବିଧାୟକଙ୍କ ଇସ୍ତଫା ପୂର୍ବରୁ କଂଗ୍ରେସ ପାଖରେ ୧୧୪ ବିଧାୟକ ରହିଥିଲେ। ଏହାବାଦ ୪ ସ୍ୱାଧୀନ, ୨ ବିଏସପି ଓ ଏକମାତ୍ର ସପା ବିଧାୟକଙ୍କ ସମର୍ଥନ ମଧ୍ୟ କଂଗ୍ରେସ ସରକାରଙ୍କ ପାଖରେ ରହିଥିଲା। ୨୨ ବିଧାୟକଙ୍କ ଇସ୍ତଫା ପରେ ବିଧାନସଭାର ଆସନ ସଂଖ୍ୟା ୨୦୬କୁ ଖସି ଆସିଛି। ସେହିପରି ମ୍ୟାଜିକ ନମ୍ବର ୧୦୪ ହୋଇଯାଇଛି। ବିଜେପି ପାଖରେ ୧୦୭ ବିଧାୟକ ରହିଥିବା ବେଳେ କଂଗ୍ରେସ ପାଖରେ ଏବେ ୯୨ ଜଣ ବିଧାୟକଙ୍କ ସମର୍ଥନ ରହିଛି।

Comments are closed.