୨୯ ଯାଏଁ ବିଧାନସଭା ମୁଲତବି

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ଭୟର ବାତ୍ତାବରଣ ସୃଷ୍ଟି କରିଛି। ଏମିତିରେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏଭଳି ସ୍ଥିତିରେ କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖାଯାଇଛି। ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ବିଧାନସଭାକୁ ମୁଲତବୀ ରଖିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଗତ କରିଥିଲେ। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ସେ ଗୃହକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସସପେଣ୍ଡ କରିବାକୁ ପ୍ରସ୍ତାବ ଦେଇଥିଲେ ।
ତେବେ ବିଧାନସଭାକୁ ସସପେଣ୍ଡ କରିବା ପାଇଁ ଶାସକ ଦଳ ପ୍ରସ୍ତାବକୁ ବିରୋଧୀ କଂଗ୍ରେସ ସମର୍ଥନ କରିଥିବା ବେଳେ ବିରୋଧୀ ଦଳ ନେତା ଏହାକୁ ବିରୋଧ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ କରୋନା ଆତଙ୍କ ଦେଖାଦେଇନାହିଁ। ତେଣୁ ଏପରି ଭୟ ଅମୂଳକ। ସେହି ଆଧାରରେ ବିଧାନସଭା କାର୍ଯ୍ୟକୁ ବନ୍ଦ କରାଯିବା ବା ସସପେଣ୍ଡ କରାଯିବା ଉଚିତ୍ ହେବନାହିଁ ବୋଲି ସେ ଯୁକ୍ତି କରିଥିଲେ । ତେବେ ଏନେଇ ଗୃହରେ କିଛି ସମୟ ଧରି ଯୁକ୍ତିତର୍କ ଜାରି ରହିଥିଲା। ଶେଷରେ ଗୃହକୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାରୁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି। ୩୦ ତାରିଖରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ ପାଇଁ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଛନ୍ତି। କରୋନା ପାଇଁ ସ୍ଥଗିତ ରଖିବାକୁ ମୁଖ୍ୟ ସଚେତକ ଏହି ପ୍ରସ୍ତାବ ଆଣିଛନ୍ତି। ତେବେ ମୁଖ୍ୟ ସଚେତକଙ୍କ ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ବିରୋଧ କରିଛନ୍ତି। ତେବେ ସରକାରଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସମର୍ଥନ କରିଛନ୍ତି ।