Odisha Link
Bridging the Missing Links in Odisha

କରୋନା ପାଇଁ ତିରୁପତି ଓ ଶିରିଡ଼ି ଦର୍ଶନରେ କଟକଣା

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଆତଙ୍କର ବାତାବରଣ। କରୋନାକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜି ମନ୍ଦିର ଓ ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିରରେ ବ୍ୟାପକ କଟକଣା ଜାରି କରାଯାଇଛି। ମନ୍ଦିରରେ କେତେକ ଗୁରୁତ୍ବପୂର୍ଣ୍ଣ ଦେବନୀତିକୁ ବନ୍ଦ କରି ଦିଆଯାଇଛି। କରୋନା ଭାଇରସର ମୁକାବିଲା ପାଇଁ ଭକ୍ତମାନଙ୍କ ମନ୍ଦିର ଦର୍ଶନ ନେଇ ଅନେକ କଟକଣା ଜାରି ହୋଇଛି।

ଆସନ୍ତା ମାର୍ଚ୍ଚ ୧୭ତାରିଖରୁ ଠାକୁର ଦର୍ଶନ ପାଇଁ ଭକ୍ତମାନେ ଯେଉଁଭଳି ସହସ୍ରାଧିକ ଭକ୍ତ ଲମ୍ବା ଧାଡ଼ିରେ ଠିଆ ହେଉଥିଲେ ସେ ବ୍ୟବସ୍ଥାକୁ ସାମୟିକ ପାଇଁ ବନ୍ଦ କରି ଦିଆଯିବ। ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ କରୋନା ସଂକ୍ରମଣକୁ ହ୍ରାସ କରାଯିବାକୁ ତିରୁପତି ବାଲାଜି ମନ୍ଦିର କର୍ତ୍ତୃପକ୍ଷରେ ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ଭକ୍ତମାନେ ସାଥୀରେ ଭୋଟର ପରିଚୟ ପତ୍ର, ଆଧାର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍‌ସ ଆଣିଲେ ସେମାନଙ୍କୁ ଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯିବ। ଟୋକନ୍‌ ପ୍ରଦାନ ପାଇଁ ସ୍ବତନ୍ତ୍ର କାଉଣ୍ଟର ପ୍ରତିଷ୍ଠା କରାଯିବ। ସୂଚନାଯୋଗ୍ୟ ଯେ ତିରୁପତି ମନ୍ଦିରରେ ପ୍ରତି ଘଣ୍ଟାରେ ୩,୫୦୦ରୁ ୪,୦୦୦ ଭକ୍ତଙ୍କ ସମାଗମ ହୋଇଥାଏ। ବିଶେଷ ମୁହୂର୍ତ୍ତରେ ଏହି ସଂଖ୍ୟା ୫,୫୦୦ ଅତିକ୍ରମ କରିଥାଏ। ସେହିଭଳି ମନ୍ଦିରରେ ବିଶେଷ ପୂଜା ଓ ଦେବନୀତିକୁ ବନ୍ଦ କରାଯାଇଛି।

ସେହିଭଳି ସିରିଡ଼ିସ୍ଥିତ ଶ୍ରୀ ସାଇବାବା ସଂସ୍ଥାନ ପକ୍ଷରୁ କରୋନା ଭାଇରସ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆସନ୍ତ‌ା କେଇ ସପ୍ତାହ ପାଇଁ ଭକ୍ତମାନେ ମନ୍ଦିର ପରିଦର୍ଶନରେ ନ ଆସିବାକୁ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି। ମନ୍ଦିର ପରିସରରେ ଭିଡ଼ ନିୟନ୍ତ୍ରଣ କରିବାକୁ ଭକ୍ତମାନଙ୍କ ମନ୍ଦିର ପ୍ରବେଶ ଉପରେ ସାମୟିକ ରୋକ ଲଗାଯାଇଛି। ତେବେ ଭକ୍ତମାନଙ୍କ କରୋନା ପରୀକ୍ଷା ପାଇଁ ମନ୍ଦିର ପରିସରରେ ୧୧ଟି ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଲଗାଯାଇଛି। ସାଇବାବା ହସ୍ପିଟାଲ ମଧ୍ୟରେ ସ୍ବତନ୍ତ ପୃଥକ ୱାର୍ଡ ସୃଷ୍ଟି କରାଯାଇଛି।

Comments are closed.