Odisha Link
Bridging the Missing Links in Odisha

କରୋନା ଲାଗି ଗୋପାଳପୁର ବନ୍ଦର ତରଫରୁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ

ଗୋପାଳପୁର: କୋଭିଡ୍‌-୧୯ ଭାଇରସ୍ ବ୍ୟାପିବା ବନ୍ଦ କରିବା ଲାଗି ଗୋପାଳପୁର ପୋର୍ଟସ୍ ଲିମିଟେଡ୍ (ଜିପିଏଲ୍‌) ତରଫରୁ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜାହଜ ମହାନିର୍ଦେଶାଳୟ (କେନ୍ଦ୍ର ସରକାରଙ୍କ ଜାହାଜ ମନ୍ତ୍ରଣାଳୟ) ତଥା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବେଶ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶାବଳୀ ଓ ଦିଶାନିର୍ଦେଶ ସହିତ ସମସ୍ତ ସ୍ଥାନୀୟ ଓ ବିଦେଶୀ ଜାହଜ ଏବଂ ଜାହଜରେ ଥିବା କ୍ର‍୍ୟୁ ସଦସ୍ୟମାନଙ୍କ ନିୟମିତ ନିରୀକ୍ଷଣ ଓ ପରୀକ୍ଷା ଲାଗି ଏକ ସ୍ୱୟଂସମ୍ପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ସ୍ଥାପନ କରାଯାଇଛି।

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକାରେ ଥିବା ରାଷ୍ଟ୍ରଗୁଡ଼ିକ ଯଥା ଚୀନ, କୋରିଆ, ଜାପାନ, ଇଟାଲି ଇତ୍ୟାଦିରୁ ଆସିଥିବା ଯେକୌଣସି ପ୍ରକାର ଜାହାଜକୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟିନ୍ ବା ସଙ୍ଗରୋଧ କରାଯାଉଛି। ୧୪ ଦିନ କ୍ୱାରାଣ୍ଟିନ୍ କରିବା ପରେ ଜାହାଜର କ୍ର‍୍ୟୁ ସଦସ୍ୟମାନଙ୍କ ବିଭିନ୍ନ ପ୍ରକାର ଲକ୍ଷଣ ପାଇଁ ଯାଞ୍ଚ୍ କରାଯାଇଛି ଓ ଆବଶ୍ୟକ ହେଲେ ପରୀକ୍ଷା କରାଯାଉଛି। କୋଭିଡ୍‌-୧୯ ବ୍ୟାପିବାକୁ ରୋକିବା ଲାଗି ଅନ୍ୟ ଦେଶଗୁଡ଼ିକରୁ ଆସୁଥିବା ଜାହଜଗୁଡ଼ିକରେ ଥିବା କ୍ର‍୍ୟୁ ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଥିବା ସଂକ୍ରାନ୍ତରେ ଜାହାଜ ମାଷ୍ଟରଙ୍କ ଠାରୁ ବନ୍ଦରରେ ଜାହଜ ପହଂଚିବାର ୨୪ ଘଣ୍ଟା ପୂର୍ବରୁ ପ୍ରାକ ସୂଚନା ମଗାଯାଉଛି।

ଏହା ବ୍ୟତୀତ ବନ୍ଦର ତରଫରୁ ନିଜସ୍ୱ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ (ଏସଓପି) ବିକଶିତ କରି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏହା ଆନ୍ତର୍ଜାତିକ ମାରିଟାଇମ ସଂଗଠନ (ଆଇଏମଓ) ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର “ମାରିଟାଇମ ଡିକ୍ଲାରେସନ ହେଲଥ‘ରେ ଦିଆଯାଇଥିବା ପରାମର୍ଶକୁ ପାଳନ କରୁଛି ଏବଂ ପୋର୍ଟ ହେଲଥ ଓ ମାରିଟାଇମ ଟିମ ତରଫରୁ ୨୪ ଘଂଟିଆ ଭିତିରେ ବନ୍ଦରର ସମସ୍ତ ତାଲିକାକୁ ଯାଞ୍ଚ୍ କରାଯାଉଛି।

ଅତିରିକ୍ତ ପ୍ରତିଷେଧକ ପଦକ୍ଷେପ ଲାଗି ବନ୍ଦର ପରିସରରେ ଥିବା ସମସ୍ତ ବିଦେଶର ଜାହାଜଗୁଡ଼ିକ ବନ୍ଦରରୁ ଚାଲିନଯିବା ପର୍ଯ୍ୟନ୍ତ ସେଥିରେ ଥିବା ସମସ୍ତ କ୍ର‍୍ୟୁ ସଦସ୍ୟମାନଙ୍କ ତାପମାତ୍ରାକୁ ପ୍ରତିଦିନ ଦୁଇ ଥର (୬ଟା ଏବଂ ୧୮ ଘଟିକାରେ) ମପାଯାଉଛି। ଏକ ସଙ୍ଗରୋଧ ବା ଆଇସୋଲେସନ ୱାର୍ଡ ଗଠନ କରାଯାଇଛି ଓ ସ୍ପର୍ଶ ବିହୀନ ଇନଫ୍ରାରେଡ୍ ତାପମାତ୍ରା ଗନ୍, ଏନ-୯୫ ଫେସ୍ ମାସ୍କ, ଡିସପୋଜେବଲ ଗ୍ଲୋଭସ ଓ କ୍ୟାପ୍‌, ସମ୍ପୂର୍ଣ୍ଣ ବ୍ୟବସ୍ଥା ସହିତ ୩ ଜଣ ପାରା ମେଡିକାଲ ଷ୍ଟାଫ୍ ଥିବା ଏକ ଆମ୍ବୁଲାନ୍ସ ଚବିଶ ଘଣ୍ଟା ପାଇଁ ପ୍ରସ୍ତୁତ ରହିଛି ଏବଂ ପରିଚାଳନା ଷ୍ଟାଫ୍‌ମାନଙ୍କ ଲାଗି ଜାହାଜ ବୋର୍ଡିଂ ହେଉଥିବା ଅଂଚଳରେ ନିୟମିତ ଭାବେ ଡି-କଂଟାମିନେସନ ଲିକ୍ୱିଡ (ସୋଡିୟମ ହାଇପୋକ୍ଲୋରାଇଡ୍‌) ସିଞ୍ଚନ କରାଯାଉଛି। କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ଲାଗି ଜିପିଏଲ୍ ପକ୍ଷରୁ ଏହାର କର୍ମଚାରୀ ଏବଂ ଶ୍ରମିକମାନଙ୍କ ମଧ୍ୟରେ ସ୍ୱଚ୍ଛତାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ନୋଭେଲ୍ କରୋନା ଭାଇରସ୍ ବ୍ୟାପିବା ଦିନ ଠାରୁ ଜିପିଏଲ୍ ସମସ୍ତ ପ୍ରକାରର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି। ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଓ ଏମକେସିଜି ସରକାରୀ ହସ୍ପିଟାଲ୍‌ର ଟିମ୍‌ଙ୍କୁ ନେଇ ଗତ ଫେବ୍ରୁଆରି ୫ ତାରିଖରେ ବନ୍ଦର ତରଫରୁ ମକ୍ ଡ୍ରିଲ୍ ଓ ପ୍ରସ୍ତୁତି ଅଭିଯାନକୁ ବନ୍ଦର ପରିସରରେ ଆୟୋଜନ କରାଯାଇଥିଲା। ମାର୍ଚ୍ଚ ୧୨ରେ କୋଷ୍ଟ ଗାର୍ଡ ଅଧିକାରୀମାନେ ବନ୍ଦର ପରିଦର୍ଶନରେ ଆସିଥିଲେ ଏବଂ କୋଭିଡ-୧୯କୁ ନେଇ ବନ୍ଦର କରିଥିବା ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।

ଜାହାଜରେ କାର୍ଯ୍ୟ କରିବା ବେଳେ ସମ୍ପୂର୍ଣ୍ଣ ସାନିଟାଇଜ ହୋଇଥିବା ସାମୁଦ୍ରିକ ପାଇଲଟ ସାରା ଶରୀରକୁ ସର୍ଜିକାଲ୍ ସୁରକ୍ଷାରେ ଘୋଡ଼େଇ କାର୍ଯ୍ୟ କରୁଛନ୍ତି। ବର୍ଥ ଅଂଚଳରେ କୌଣସି ପ୍ରକାର କାର୍ଯ୍ୟ କରିବାରେ ନିୟୋଜିତ ହୋଇଥିବା ଷ୍ଟାଫ୍‌ମାନଙ୍କୁଚାମ କରିବା ପୂର୍ବରୁ ଓ ପରେ ଫେସ୍ ମାସ୍କ ଓ ହାଣ୍ଡ ସାନିଟାଇଜର ପ୍ରଦାନ କରାଯାଉଛି।

ଗୋପାଳପୁର ବନ୍ଦର କର୍ତୃପକ୍ଷ ଏହାର ଲୋକ ଏବଂ ପାରିପାଶ୍ୱିକ ଗ୍ରାହକଗୁଡ଼ିକୁ ସୁରକ୍ଷିତ ଓ ସଂକ୍ରମଣ ମୁକ୍ତ ପରିବେଶ ପ୍ରଦାନ କରିବାକୁ ପ୍ରତିବଦ୍ଧ ଏବଂ କୋଭିଡ-୧୯କୁ ବ୍ୟାପିବାରୁ ରୋକିବା ଲାଗି ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ବନ୍ଦର କର୍ତୃପକ୍ଷ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

Comments are closed.