Odisha Link
Bridging the Missing Links in Odisha

ନିର୍ଭୟା ଦୋଷୀଙ୍କୁ ଫାଶି ପରେ କିଏ କଣ କହିଲେ, ଜାଣନ୍ତୁ…

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ନିର୍ଭୟା ୪ ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର ଆଜି ସକାଳ ସାଢେ ୫ଟାରେ ଫାଶିଖୁଣ୍ଟରେ ଝୁଲିଛନ୍ତି। ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅରବିନ୍ଦ କେଜରିଓ୍ବାଲ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ହେବା ପରେ ଅରବିନ୍ଦ କେଜରିଓ୍ବାଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜିର ଦିନକୁ ସଂକଳ୍ପର ଦିନ ଭାବେ ନିଅନ୍ତୁ। ଦ୍ବିତୀୟ ନିର୍ଭୟା ଘଟଣା ନ ଘଟୁ। ପୋଲିସ ବ୍ୟବସ୍ଥା ଏବଂ ଆଇନ ବ୍ୟବସ୍ଥାରେ ଥିବା ତ୍ରୁଟି ଦୂର କରାଯାଉ। ୭ ବର୍ଷ ନୁହେଁ ୬ ମାସରେ ନ୍ୟାୟ ପାଇବାର ବ୍ୟବସ୍ଥା ହେଉ।

ଦିଲ୍ଲୀ ମହିଳା କମିଶନ: ନିର୍ଭୟା ଦୋଷୀଙ୍କୁ ଫାଶି ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲା କହିଛନ୍ତି ଯେ, ଆଜି ଐତିହାସିକ ଦିନ। ୭ ବର୍ଷ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଆଜି ନିର୍ଭୟାଙ୍କ ଆତ୍ମାକୁ ଶାନ୍ତି ମିଳିଛି। ଦୁଷ୍କର୍ମୀଙ୍କୁ ଦେଶ ପକ୍ଷରୁ ଏହି ଫାଶି ଦ୍ବାରା ଏକ ବଡ ଚେତାବନୀ ମିଳିଛି। ଯଦି କେହି ଏପରି ଅବରାଧ କରନ୍ତି, ତା ହେଲେ ଫାଶି ପାଇବେ।

ନିର୍ଭୟା ମା: ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ପରେ ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି ଯେ, ଡେରିରେ ହେଲେ ବି ତାଙ୍କ ଝିଅକୁ ନ୍ୟାୟ ମିଳିଲା। ଏଥିପାଇଁ ସେ ସୁପ୍ରିମ୍‌କୋର୍ଟଙ୍କୁ ପ୍ରଶଂସା କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି। କିନ୍ତୁ ନ୍ୟାୟିକ ବ୍ୟବସ୍ଥାରେ କିଛି ଛିଦ୍ର ଥିବା ଏହି ମାମଲା ଦ୍ୱାରା ଜଣାପଡ଼ିଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସେ ତାଙ୍କ ଝିଅକୁ ବହୁତ ଭଲ ପାଉଥିଲେ। ସେ ତାଙ୍କ ଝିଅକୁ ନେଇ ଗର୍ବ କରନ୍ତି। ସେ ତାଙ୍କୁ ବଞ୍ଚାଇ ପାରିଲେନି। କିନ୍ତୁ ଖୁସି ଅଛନ୍ତି ଯେ ତାଙ୍କୁ ନ୍ୟାୟ ଦେଇ ପାରିଛନ୍ତି। ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ନିର୍ଭୟା’ ଦିବସ ଭାବେ ପାଳନ କରାଯାଉ।

ନିର୍ଭୟା’ଙ୍କ ବାପା: ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ପରେ ଖୁସି ପ୍ରକଟ କରିଛନ୍ତି ନିର୍ଭୟା’ଙ୍କ ବାପା। ସେ କହିଛନ୍ତି, ନ୍ୟାୟ ପାଇବା ପାଇଁ ବହୁତ ଦୌଡ଼ିଥିଲୁ। ଆଉ ଶେଷରେ ଆଜି ନ୍ୟାୟ ପାଇଛୁ। ଏହା ପ୍ରତିଟି ମହିଳାଙ୍କର ବିଜୟ। ପୁଅ ଓ ଝିଅ ମଧ୍ୟରେ ପ୍ରଭେଦ କରିବା ଅନୁଚିତ୍।

ନିର୍ଭୟା’ଙ୍କ ମାମଲା ଲଢ଼ିଥିବା ସରକାରୀ ଓକିଲ : ନିର୍ଭୟା’ଙ୍କ ମାମଲା ଲଢ଼ିଥିବା ସରକାରୀ ଓକିଲ କହିଛନ୍ତି ଯେ, ଏପରି ଜଘନ୍ୟ ଅପରାଧ ଅତି ବିରଳରୁ ବିରଳତମ ଥିଲା। ଏପରି ଅପରାଧ ପଶୁ ବି କରିପାରନ୍ତି ନାହିଁ। ନିର୍ଭୟା ବଞ୍ଚିଥିଲେ ହୁଏତ ଖୁସି ହୋଇଥା’ନ୍ତି। ମାତ୍ର ଶେଷରେ ନ୍ୟାୟ ମିଳିଛି। ତେବେ ନିର୍ଭୟାଙ୍କ ପରେ ଅନେକ ପୀଡ଼ିତ ନ୍ୟାୟ ଅପେକ୍ଷାରେ ଅଛନ୍ତି।

Comments are closed.