ମୋଦିଙ୍କ ବଡ଼ ଘୋଷଣା: ଦେଶବ୍ୟାପୀ ୨୧ ଦିନ ଲକ୍ଡାଉନ୍

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ବିଶ୍ବରେ ୩ ଲକ୍ଷ ଲୋକଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରିଥିବା ବେଳେ ଭାରତର ସ୍ଥିତି ଏ ଯାଏଁ ଖରାପ ହୋଇନାହିଁ। ତେବେ ଅନ୍ୟ ଦେଶର ସ୍ଥିତିକୁ ଉଦାହରଣ ଭାବେ ନେଇ ପ୍ରତିଷେଧକମୂଳକ ପଦକ୍ଷେପ ଭାବେ ଆଜି ମଧ୍ୟରାତ୍ରିରୁ ସାରା ଦେଶରେ ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ (lockdown) ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ମୋଦି କହିଛନ୍ତି ଯେ ବର୍ତ୍ତମାନ ସମୟ ଧୈର୍ଯ୍ୟ ଓ ଅନୁଶାସନ ପାଳନର ସମୟ। ବିଶ୍ବରେ ପ୍ରଥମ ଏକ ଲକ୍ଷ ରୋଗୀ ସଂକ୍ରମିତ ହେବା ଲାଗି ୬୭ ଦିନ ସମୟ ଲାଗିଥିଲା। ମାତ୍ର ୧୧ ଦିନରେ ଏହା ୨ ଲକ୍ଷରେ ପହଞ୍ଚିଥିଲା। ତେବେ ୩ ଲକ୍ଷ ଲୋକ ସଂକ୍ରମିତ ହେବା ପାଇଁ ମାତ୍ର ୪ ଦିନ ଲାଗିଥିଲା। ଏହି ହାରକୁ ଦୃଷ୍ଟିରେ ରଖି ଆମେ ଆତ୍ମସଚେତନ ହେବା ବୋଲି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ମୋଦି ପୁନଶ୍ଚ କହିଛନ୍ତି ଯେ ସ୍ବାସ୍ଥ୍ୟ ସେବା କରୋନାର ଉପଚାର ନୁହେଁ। ଇତାଲି, ଆମେରିକା ଭଳି ଦେଶ ଯେଉଁଠି ବିଶ୍ବର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଉପଲବ୍ଧ ସେଠାରେ ଏବେ କରୋନା ସଂକ୍ରମଣର ଅବସ୍ଥା ଅସମ୍ଭାଳ। କରୋନା ଏକ ବିଶ୍ବ ମହାମାରୀରେ ପରିଣତ ହୋଇଛି।
ଲୋକଙ୍କ ଲାଗି ଯେଭଳି କୌଣସି ଅସୁବିଧା ନ ହେବ, ସଭିଏଁ ଘରେ ରହି ଯେଭଳି ସବୁ ଆବଶ୍ୟକୀୟ ସେବା ପାଇପାରିବେ ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ମିଶି ପଦକ୍ଷେପ ନେଉଛନ୍ତି ବୋଲି ମୋଦି ଆଶ୍ବାସନା ଦେଇଛନ୍ତି। କେନ୍ଦ୍ର ସରକାର ସ୍ବାସ୍ଥ୍ୟସେବା ପାଇଁ ୧୫ ହଜାର କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ମିଛ ଖବର ଓ ଅନ୍ଧବିଶ୍ବାସ ଠାରୁ ଦୂରେଇ ରହିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ।