Odisha Link
Bridging the Missing Links in Odisha

ଶେଷ ହେଲା ବଜେଟ ଅଧିବେଶନ

ଭୁବନେଶ୍ବର: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଷୋଡ଼ଶ ବିଧାନନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ଆଲୋଚନା ହୋଇଥିଲା।

ଆଜି ଏହି ବିଭାଗ ବ୍ୟତୀତ ଅନ୍ୟସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍‌ ଜରିଆରେ ବାଚନିକ ଭୋଟ୍‌ରେ ଗୃହରେ ପାରିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୦୨୦-୨୧ର ବଜେଟ୍‌ ପାଇଁ ଟ. ୧,୫୫,୯୬୩,୨୬,୮୧,୦୦୦ଙ୍କାର ବ୍ୟୟମଞ୍ଜୁରୀ ବିଧେୟକ ଗୃହର ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଥିଲେ। ଏ ସଂପର୍କିତ ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଂଶଗ୍ରହଣ କରିଥିଲେ। ଆଲୋଚନା ପରେ ଏହା ଗୃହର ଅନୁମୋଦନ ଲାଭ କରିଥିଲା।

ବିଧାସଭା ବଜେଟ୍‌ ଅଧିବେଶନର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଥିବାବେଳେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଗୃହକୁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଗୃହର ସହମତି କ୍ରମେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ଅଭିଭାଷଣ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

Comments are closed.