Odisha Link
Bridging the Missing Links in Odisha

ରେଡ୍ ଜୋନ୍‌ରେ ୫ ଜିଲ୍ଲା

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଗତ ୩ ଦିନ ମଧ୍ୟରେ ରାଜ୍ୟରେ ୧୦୦ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ରାଜ୍ୟ ପାଇଁ ଚିନ୍ତାର ବିଷୟ। ଏଥିସହିତ ରାଜ୍ୟରେ ମଧ୍ୟ ରେଡ ଜୋନ୍‌ ସଂଖ୍ୟା ବୃଦ୍ଧି ପାଇଛି।

ଆଜି ସକାଳେ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ଗଞ୍ଜାମରୁ ୨୯, ବାଲେଶ୍ବରରୁ ୧୫, ଅନୁଗୁଳରୁ ୧୩ ଏବଂ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକାଥରକେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଅନୁଗୁଳ ଜିଲ୍ଲାକୁ ମଧ୍ୟ ରେଡ ଜୋନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ରାଜ୍ୟରେ ବର୍ତ୍ତମାନ ୫ଟି ଜିଲ୍ଲାରେ ରେଡ ଜୋନରେ ଥିବାବେଳେ ଭୁବନେଶ୍ବର ମହାନଗର ନିଗମ ମଧ୍ୟ ରେଡ ଜୋନରେ ସାମିଲ ହୋଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାକୁ ରେଡ ଜୋନ ଘୋଷଣା କରାଯାଇଛି। ଏଥିସହିତ ବିଏମ୍‌ସି ମଧ୍ୟ ରେଡ ଜୋନରେ ସାମିଲ ହୋଇଛି।

ଅପରପକ୍ଷେ ଅନୁଗୁଳରେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ହାଟ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ତାଲାବନ୍ଦ କଟକଣାକୁ କଡାକଡି ଭାବେ ପାଳନ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମନୋଜ ମହାନ୍ତି। କାମ ନଥିଲେ ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଛି। ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ତାଲାବନ୍ଦ ନିୟମ ଉଲଂଘନ କରିବେ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାଜ୍ୟର ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ ବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.