Odisha Link
Bridging the Missing Links in Odisha

ସୁବାସ ଚୌହାନ: ବଜରଙ୍ଗ ଦଳରୁ ବିକାଶ ପରିଷଦ

ଭୁବନେଶ୍ବର: ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ ପ୍ରାଣତ୍ୟାଗ କରିଛନ୍ତି। ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ମେ ୫ ତାରିଖ ଦିନଗୁରୁତର ଅସୁସ୍ଥ ହୋଇ ସୁବାସ ଡାକ୍ତରଖାନା ଯାଇଥିଲେ।

କ୍ୟାନ୍ସରରେ ପୀଡ଼ିତ ସୁବାସ ପୂର୍ବରୁ ଗୁରୁତର ଅସୁସ୍ଥ ହୋଇ ମୁମ୍ବାଇ ସ୍ଥିତ କ୍ୟାନସର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କିଛିଦିନ ଚିକିତ୍ସା ହେବା ପରେ ସୁସ୍ଥ ହୋି ଭୁବନେଶ୍ବର ଫେରିଥିଲେ। ହେଲେ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ପାଇଁ ଚଳିତ ମାସ ୫ ତାରିଖରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ପ୍ରତ୍ୟୁଷରୁ ତାଙ୍କର ମୃତ୍ୟୁ ହୋଇଛି।

ଜଣେ ହିନ୍ଦୁ ସଂଗଠନ ନେତା ଭାବେ ବଜରଙ୍ଗ ଦଳରୁ କ୍ୟାରିଅର ଆରମ୍ଭ କରିଥିବା ସୁବାସ ବରଗଡ଼ ଲୋକସଭା ଆସନରୁ ଟିକେଟ ନ ପାଇବାରୁ ୨୦୧୯ ମାର୍ଚ୍ଚ ୨୬ ତାରିଖରେ ଭାରତୀୟ ଜନତା ପର୍ଟିରୁ ଇସ୍ତଫା ଦେଇଥିଲେ ଓ ତହିଁ ପରଦିନ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ପରେ ନବୀନ ପଟ୍ଟନାୟକ ତାଙ୍କୁ ଦଳର ସାଧାରଣ ସଂପାଦକ ପଦରେ ବସାଇଥିଲେ। ୨୦୧୯ ସେପ୍ଟେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରିଥିଲେ।

ବିଶ୍ବହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ବୟସେବକ ସଂଘର ଜଣେ ଟାଣୁଆ ନେତା ଭାବେ ପରିଚିତ ସୁବାସଙ୍କ ଜନ୍ମ ୧୯୬୬ ମସିହାରେ। ୧୯୯୫ରୁ ୨୦୦୦ ମସିହା ଯାଏଁ ସେ ହିନ୍ଦୁ ଜାଗରଣ ମଞ୍ଚର ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ଥିଲେ। ୨୦୦୦ରୁ ୨୦୦୩ ଯାଏଁ ସେ ଆର୍‌ଏସ୍‌ଏସ୍‌ର ଯୁଗ୍ମ ପ୍ରଚାର-ପ୍ରମୁଖ ଥିଲେ। ୨୦୦୩ରୁ ୨୦୦୬ ଯାଏଁ ସେ ଓଡ଼ିଶାରେ ବଜରଙ୍ଗ ଦଳର ଆବାହକ ଥିଲେ। ୨୦୦୬-୦୭ରେ ସେ ବଜରଙ୍ଗ ଦଳର କ୍ଷେତ୍ରୀୟ ଆବାହକ ରହିଲେ। ୨୦୦୮ରେ ସେ ଏହାର ରାଷ୍ଟ୍ରୀୟ ସହ-ଆବାହକ ରହିଲେ। ୨୦୧୦ରୁ ୨୦୧୨ ଯାଏଁ ସେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ଆବାହକ ଥିଲେ।

ବିଜେପି ସହ ବିଜେଡି ରାଜ୍ୟରେ ମେଣ୍ଟ ଥିବା ବେଳେ ବି ସୁବାସ ୨୦୦୮ କନ୍ଧମାଳ ଦଙ୍ଗା ବେଳେ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ୨୦୧୧ ମସିହାରେ Prevention of Communal and Targeted Violence Bill 2011କୁ ବିରୋଧ କରିଥିଲେ। ତେବେ ପରେ ଓଡ଼ିଶା ବିଜେପିର ଉପସଭାପତି ଭାବେ ସେ କାର୍ଯ୍ୟ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ବରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ସେ ଲଢ଼େଇ କରି ମାତ୍ର ୧୧,୦୦୦ ଭୋଟରେ ପରାଜିତ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଟିକେଟ ନ ମିଳିବାରୁ ରାଜ୍ୟରେ ନିଜର ପାରମ୍ପରିକ ଶତ୍ରୁ ବିଜେଡିର ଶରଣ ପଶିଥିଲେ ସୁବାସ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହୋଇଥିଲେ।

ସୁବାସଙ୍କ ମୃତ୍ୟୁରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ଗଭୀର ଦୁଃଖପ୍ରକାଶ କରିଛନ୍ତି।

Comments are closed.