Odisha Link
Bridging the Missing Links in Odisha

ସମ୍‌ କୋଭିଡ୍‌ ହସ୍ପିଟାଲ୍: କରୋନା ଲଢ଼େଇରେ ଜିତିଲେ ୮୫ ବର୍ଷିୟ ବୃଦ୍ଧା

ଭୁବନେଶ୍ୱର: ରାଜ୍ୟର ବୃହତ୍ତମ କୋଭିଡ୍‌ ହସ୍ପିଟାଲ୍‌ରେ କରୋନା ପୀଡ଼ିତା ଜଣେ ୮୫ ବର୍ଷିୟ ବୃଦ୍ଧା ମହାମାରୀ ସହ ଲଢ଼ି ବିଜୟୀ ହୋଇଛନ୍ତି। ସେ ଅନ୍ୟ ରୋଗୀମାନଙ୍କ ମନରେ ନୂତନ ଆଶା ସଂଚାର କରିପାରିଛନ୍ତି।

ଯାଜପୁର ଜିଲ୍ଲାରୁ ଆସିଥିବା ଏହି ବୃଦ୍ଧା ଏଠାରେ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ୧୨ ଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇ ମଙ୍ଗଳବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଖୁବ୍‌ କମ୍‌ ଓଜନର ଏହି ଦୁର୍ବଳ ମହିଳା ଜଣଙ୍କୁ ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରି ବଞ୍ଚାଇ ପାରିଛନ୍ତି। ଏହା କୋଭିଡ-୧୯ ବିରୁଦ୍ଧରେ ଲଢ଼ୁଥିବା ଟିମ୍ ନିମନ୍ତେ ଏକ ପ୍ରେରଣାଦାୟୀ ଘଟଣା ହୋଇଛି।

ମଙ୍ଗଳବାର ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୪ ଜଣ କରୋନା ରୋଗୀଙ୍କୁ ସୁସ୍ଥ ଅବସ୍ଥାରେ ଡିସଚାର୍ଜ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ୩ ବର୍ଷ ବୟସର ଶିଶୁ। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର।

କରୋନା ଆକ୍ରାନ୍ତ ହୋଇଥିବା ଜଣେ ୬୦ ବର୍ଷିୟ ମଧୁମେହ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି। ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହେବା ପରେ ସେ ଜାଣିଲେ ଯେ ତାଙ୍କର ମଧୁମେହ ସମସ୍ୟା ଅଛି। ତାଙ୍କର ମଧୂମେହ ସ୍ତର (ଖାଇବା ପୂର୍ବରୁ) ୪୦୦ରୁ ଅଧିକ ଥିଲା। ଏବେ ସେ କରୋନା ମୁକ୍ତ ହେବା ସହ ମଧୁମେହ ସ୍ତର ମଧ୍ୟ କମି ୧୦୦ ତଳକୁ ଆସିଛି।

ସମ୍ କୋଭିଡ୍ ହସ୍ପିଟାଲରେ ୨୫ ଟି ଆଇସିୟୁ ଶଯ୍ୟା ସହ ୫୨୫ ଶଯ୍ୟା ରହିଛି। ଏହି ହସ୍ପିଟାଲ ସ୍ୱତନ୍ତ୍ର ଭାବେ ଏକ ଭିନ୍ନ କ୍ୟାମ୍ପସରେ କାର୍ଯ୍ୟ କରୁଛି। ଚାରି ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ସନ୍ଦିଗ୍ଧଙ୍କୁ ଅଲଗା ରଖାଯାଇଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣ ନ ଥିବା ଓ ଗୁରୁତର ରୋଗୀଙ୍କୁ ଅଲଗା ଅଲଗା ମହଲାରେ ରଖି ଚିକିତ୍ସା କରାଯାଉଛି।

ହସ୍ପିଟାଲରେ ୮୨ ଜଣ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏଥିରେ ଭେଷଜ, ଶିଶୁ, ନିଶ୍ଚେତକ, ପଲମୋନାରୀ ମେଡିସିନ, ଜେନେରାଲ ସର୍ଜରୀ, ଅସ୍ଥିଶଲ୍ୟ, ମାନସିକ, ଇଏନଟି ଓ ଚକ୍ଷୁ ବିଭାଗର ବିଶେଷଜ୍ଞ ରହିଛନ୍ତି। ଏହା ଛଡ଼ା ହସପିଟାଲରେ ୨୬୪ ଜଣ ନର୍ସ ନିୟୋଜିତ ହୋଇଛନ୍ତି। କୋଭିଡ ହସ୍ପିଟାଲରେ ମୁତୟନ ହୋଇଥିବା ଡାକ୍ତର ମାନେ ୧୪ ଦିନ ଡ୍ୟୁଟି କରିବା ପରେ କ୍ୱାରେଂଟାଇନରେ ରହିବେ। ପୁଣି ଆଉ ଏକ ୮୨ ଜଣିଆ ଦଳ ଡ୍ୟୁଟିକୁ ଆସିବେ। ତେବେ ଏହି ଡାକ୍ତରମାନଙ୍କ ଛଡ଼ା ସମ୍ ହସ୍ପିଟାଲରେ ଥିବା ସମସ୍ତ ବିଭାଗର ମୁଖ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବରିଷ୍ଠ ଡାକ୍ତରମାନେ ଚିକିତ୍ସା ଏବଂ ଔଷଧ ନେଇ ପରାମର୍ଶ ଦେଉଛନ୍ତି। ଖାଲି ଚିକିତ୍ସା ନୁହେଁ, ପାଥୋଲଜିକାଲ ପରୀକ୍ଷା ଓ ଏକ୍ସରେ, ଅଲଟ୍ରାସାଉଣ୍ଡ ଓ ଇକୋ ପରୀକ୍ଷା ନିମନ୍ତେ ବ୍ୟବସ୍ଥା ଏହି ସ୍ୱତନ୍ତ୍ର ହସ୍ପିଟାଲରେ ରହିଛି।

ହସ୍ପିଟାଲ ପରିସରରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ହସ୍ପିଟାଲ ଆଖପାଖ ଅଞ୍ଚଳକୁ ସବୁଦିନ ସାନିଟାଇଜ୍ କରାଯାଉଥିବା ବେଳେ ହସ୍ପିଟାଲ ଭିତରକୁ ପ୍ରତ୍ୟେକ ୬ ଘଂଟାରେ ଥରେ ସାନିଟାଇଜ କରାଯାଉଛି। ଚଟାଣ ସହ ବେଡ, ରେଲିଂ, କବାଟ ଓ କାନ୍ଥ ମଧ୍ୟ ସାନିଟାଇଜ ହେଉଛି।

Comments are closed.