Odisha Link
Bridging the Missing Links in Odisha

ଭଲ ଖବର: କାଲିଠୁ ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। କାଲିଠୁ ରାଜ୍ୟରେ ଗଡ଼ିବ ସମସ୍ତ ବସ୍‌। ରାଜ୍ୟରେ ସ୍ୱଭାବିକ ହେବ ବସ ଚଳାଚଳ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥିସହିତ ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସିଟି ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି ମିଳିଛି। ପ୍ରାୟ ୨ ମାସ ପରେ ରାଜ୍ୟରେ ବସ୍‌ ଚଳାଚଳ କରିବାକୁ ଅନୁମତି ମିଳିଛି।

ବସ୍ ସହ ଅଟୋ ରିକ୍ସା, ଓଲା, ଉବେର ଗାଡ଼ି ମଧ୍ୟ ଚାଲିବ। ସେହିପରି ୪ ଚକିଆ ଓ ଅଟୋରେ ଡ୍ରାଇଭରଙ୍କ ବ୍ୟତୀତ ୨ ଯାତ୍ରୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଛି। ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯାତ୍ରା କରିବେ। ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେ ନାହିଁ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ଦଣ୍ଡିତ ହେବେ। ଯଦି କୌଣସି ଯାତ୍ରୀଙ୍କ କରୋନା ଲକ୍ଷଣ ଥିବ ସମ୍ପୃକ୍ତ ଯାତ୍ରୀ ବସ୍‌ରେ ଯାତ୍ରା କରିପାରିବେ ନାହିଁ। ଏହାସହ ଯାତ୍ରୀଙ୍କୁ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି।

ବସ୍‌ ଚଳାଚଳ ନେଇ ଘରୋଇ ବସ୍ ମାଲିକ ସଂଘ କୌଣସି ନିଷ୍ପତ୍ତି ନେଇ ନାହିଁ ବୋଲି ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ସରକାର ଏ ଯାଏ ବସ୍‌ ମାଲିକଙ୍କ ସହ ବୈଠକ କରି ନାହାନ୍ତି। ସରକାରଙ୍କ ସହ ବୈଠକ ହେବା ପରେ ବସ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି ଦେବେନ୍ଦ୍ର ସାହୁ କହିଛନ୍ତି।

Comments are closed.