Odisha Link
Bridging the Missing Links in Odisha

ଭାରତ-ଚୀନ ବିବାଦ: ଜୁନ୍‌ ୧୯ରେ ସର୍ବଦଳୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ: ଭାରତ- ଚୀନ ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ଜୁନ୍‌ ୧୯ ତାରିଖ ଦିନ ମୋଦି ଏହି ବୈଠକ ଡାକିଛନ୍ତି। ଭର୍ଚୁଆଲ ମିଟିଂରେ ବିଭିନ୍ନ ରାଜନେଅତିକ ଦଳର ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପୂର୍ବ ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ସୀମା ବିବାଦ ତୁଟାଇବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଉପରେ ଚୀନ ସୈନିକ ମାନେ ଆକ୍ରମଣ କରିଛନ୍ତି । ସେମାନେ କୌଣସି ଗୁଳିମାଡ଼ କରିନଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଭାରତୀୟ ସୈନିକଙ୍କ ଉପରେ ପଥର, ଲାଠି, ଲୁହାରଡ଼ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ସୈନିକଙ୍କ ପ୍ରତି ଆକ୍ରମଣରେ ଚୀନର ୪୩ ଜଣ ସୈନିକ ମୃତାହତ ହୋଇଥିବା କୁହାଯାଉଛି। ହେଲେ ଚୀନ ସରକାର ଏହାକୁ ନେଇ କୌଣସି ସ୍ପଷ୍ଟ ସ୍ପଷ୍ଟ ସୂଚନା ଦେଉ ନାହାନ୍ତି। ୧୯୭୫ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ମଧ୍ୟରେ ସୀମାରେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିଛି।

ଗତ ୪୧ ଦିନ ହେଲା ଦୁଇ ଦେଶର ସେନା ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦର ସମାଧାନ ପାଇଁ ସୋମବାର ରାତି ପ୍ରାୟ ୧୧ଟା ୩୦ରେ ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହୋଇଥିଲା । ମାତ୍ର ହଠାତ୍ ତାହା ଉଗ୍ର ରୂପ ଧାରଣ କରିଥିଲା । ଚୀନ ସେନା ନିଜ ସାଥୀରେ ଆଣିଥିବା ପଥର, ଲାଠି, ରଡ଼ ଓ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ଯବାନମାନେ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ । ଏହି ଅଞ୍ଚଳ ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଥିବା ବେଳେ ସେଠାରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳେ ରହିଛି । ଆକ୍ରମଣ ବେଳେ ଉଭୟ ପକ୍ଷରୁ ବହୁ ସୈନିକ ମୃତାହତ ହୋଇଥିଲେ ।

ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀରେ ଚୀନ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ ଗାଲୱାନ ଭ୍ୟାଲିକୁ ଚୀନର ବୋଲି ଦାବି କରିବା ସହ ଭାରତୀୟ ଯବାନ ବଦମାସୀ କରିଛନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଗାଲୱାନ ଭ୍ୟାଲି ଚୀନର। ଭାରତୀୟ ଯବାନ ବଦମାସୀ କରିଛନ୍ତି । ଭାରତୀୟ ଯବାନ ଅଯଥାରେ ଚୀନ ସୀମାକୁ ପଶି ପ୍ରୋଟୋକଲ ଭାଙ୍ଗିଛନ୍ତି। ଯାହା ସବୁ ଘଟିଛି ତାହା ଚୀନ ସୀମା ଭିତରେ ଘଟିଛି । ଯାହା ବି ଘଟିଛି ସେଥିପାଇଁ ଚୀନକୁ ଅଯଥାରେ ନିନ୍ଦିତ କରାନଯାଉ । ଭାରତ ନିଜ ଯବାନଙ୍କୁ ଶୃଙ୍ଖଳାରେ ରହିବାକୁ କହୁ । ଭାରତ ଶୃଙ୍ଖଳାରେ ରହି ଆଲୋଚନା ଜରିଆରେ ଘଟଣାର ସମାଧାନ କରୁ । ଆମେ ଅଧିକ ସଂଘର୍ଷ ଚାହୁଁନୁ ବୋଲି ଚୀନ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ।

Comments are closed.