Odisha Link
Bridging the Missing Links in Odisha

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ: ନବୀନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କରୋନା ରୋଗର ଚିକିତ୍ସା ପାଇଁ ନିର୍ଦ୍ଧିଷ୍ଟ ପଦ୍ଧତି ବାହାରି ନାହିଁ । ତେଣୁ ସତର୍କତା ହିଁ ମାନବ ଜାତି ପାଇଁ ଶ୍ରେଷ୍ଠ ଉପାୟ। ସାମାଜିକ ଦୂରତା, ମାସ୍କ ବ୍ୟବହାର ସହ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ୱାରା ହିଁ କରୋନାର ଭୟାଭୟତାକୁ ହ୍ରାସ କରି ହେବ। ରାଜ୍ୟବାସୀଙ୍କ ସହଯୋଗ ଦ୍ୱାରା ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧିନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହଯାଇଛି ଯେ, ରାଜ୍ୟରେ ଦଶ ହଜାର ଶଯ୍ୟା ପ୍ରସ୍ତୁତ କରାସରିଛି। ଏଥିସହ ଆବଶ୍ୟକୀୟ ଉପକରଣ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ମଧ୍ୟ ଦିଆଯାଇଛି । କରୋନା ଆରୋଗ୍ୟ ହାର ଏବଂ କରୋନା ମୃତ୍ୟୁ ହାର ଉଭୟରେ ଓଡ଼ିଶା ଅନ୍ୟମାନଙ୍କଠାରୁ ଭଲ ସ୍ଥିତିରେ ରହିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ବାହାରେ ରହୁଥିବା ପ୍ରାୟ ୫ ଲକ୍ଷ ଓଡ଼ିଆ ଘରକୁ ଫେରିଛନ୍ତି। ସେମାନଙ୍କ ପାଇଁ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇଛି। ଏଗୁଡ଼ିକର ପରିଚାଳନା ପାଇଁ ସରପଞ୍ଚଙ୍କ କାର୍ଯ୍ୟ ପ୍ରଶଂସନୀୟ । ସେମାନଙ୍କ ପରିଶ୍ରମ ଓ ତ୍ୟାଗ କରୋନା ସଂକ୍ରମଣକୁ ହ୍ରାସ କରିଛି। ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ନବୀନ କହିଛନ୍ତି।

ଜୁନ୍‌ ମାସ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ବାରମ୍ବାର କହି ସାରିଛନ୍ତି। ଲକ୍‌ଡାଉନ୍‌ ଧିରେ ଧିରେ ଖୋଲିବା ସହ ଯାତାୟତ ସ୍ୱାଭାବିକ୍‌ ହେବାରେ ଲାଗିଛି । ତେଣୁ କୋଭିଡ୍‌ ପରିଚାଳନାର ବିକେନ୍ଦ୍ରୀ କରଣ ସମୟର ଆହ୍ୱାନ ହୋଇଛି । କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଘର ଘର ବୁଲି ସର୍ଭେ ଆରମ୍ଭ ହୋଇଛି । ଗୁରୁତର ରୋଗୀଙ୍କଠାରୁ ଆରମ୍ଭ କରି ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଥିବା ରୋଗୀ ମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦିଆଯାଇଛି । ବୟସ୍କ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ସ୍ୱତନ୍ତ୍ର ଯତ୍ନ ଉପରେ ଗୁରୁତ୍ୱ ଦିଆଯାଇଛି।

କୋଭିଡ୍‌ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବାକୁ ସବୁ ଗାଁ ଏବଂ ସହରରେ ଓ୍ୱାର୍ଡ ସ୍ତରୀୟ କମିଟି ଗଠନ କରାଯାଇଛି । ଓ୍ୱାର୍ଡ ସ୍ତରୀୟ ଲୋକପ୍ରତିନିଧୀଙ୍କ ସମେତ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନେ ଏହି କମିଟିରେ ରହିବେ । କରେନା ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସେମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯିବ । ପୁରପଲ୍ଲୀରେ ଥିବା ଗାଁ କଲ୍ୟାଣ ସମିତି କୋଭିଡ୍‌ ପରିଚାଳନା ଦାୟିତ୍ୱ ମଧ୍ୟ ନିର୍ବାହ କରିବେ । ପ୍ରତି କମିଟି ଦଶ ହଜାର ଟଙ୍କା ଖର୍ଚ୍ଚ କରିବାର କ୍ଷମତା ରହିବ । କୋଭିଡ୍‌ କେୟାର ହୋମ୍‌ର ପରିଚାଳନା ଦାୟିତ୍ୱ ପୂର୍ବ ଭଳି ସରପଞ୍ଚଙ୍କ ହାତରେ ନ୍ୟସ୍ତରହିବ । ଆଗକୁ ଏହି ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ମଧ୍ୟ ଅନୂରୁପ ବ୍ୟବସ୍ଥା କରାଯିବ । ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ ।

Comments are closed.