Odisha Link
Bridging the Missing Links in Odisha

ରଥଯାତ୍ରା: ଗଜପତି ମହାରାଜ କରୁଛନ୍ତି ଛେରାପହଁରା

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଇତିହାସରେ ପ୍ରଥମ ଥର ଭକ୍ତଙ୍କ ବିନା ବା ଭକ୍ତଶୂନ୍ୟ ଭାବେ ପାଳିତ ହେଉଛି ରଥଯାତ୍ରା। ବିନା ଭକ୍ତରେ ବି ପୁରୀ ବଡ଼ଦାଣ୍ଡ ଚଳଚଞ୍ଚଳ। ଚାଲିଛି ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରା। ଭକ୍ତ ସିନା ବଡ଼ ଦାଣ୍ଡରେ ନାହିଁ ହେଲେ ସାରା ଓଡ଼ିଶାର ଆଖି ଟିଭିରେ ହିଁ ଲାଖିରହିଛି। ଇତିମଧ୍ୟରେ ପହଣ୍ଡି ସରିଥିବାବେଳେ ଶଙ୍କରାଚାର୍ଯ୍ୟ ମହାପ୍ରଭୂଙ୍କ ଦର୍ଶନ କରିଛନ୍ତି।

ଏବେ ଚାଲିଛି ଛେରାପହଁରା ନୀତି। ଗଜପତି ମହାରାଜା ଛେରାପହଁରା କରୁଛନ୍ତି। ମହାରାଜାଙ୍କ ଆଗରେ ଫୁଲ ଓ ସୁବାସିତ ଜଳ ସିଚଂନ କରି ଆଗକୁ ମାଡ଼ି ଚାଲିଛନ୍ତି ସେବାୟତ। ଗଜପତି ମହାରାଜା ଛେରା ପହଁରା କରିବା ପରେ ରଥ ଟାଣିବା ନେଇ ପ୍ରସ୍ତୁତି ଆରମ୍ଭ ହେବ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆଧାରରେ ସେବା ଓ ନୀତିକାନ୍ତି ଜାରିରହିଛି। ବରଂ ନିର୍ଦ୍ଧାରିତ କାର୍ଯ୍ୟସୂଚୀଠାରୁ ଆଗୁଆ ନୀତିକାନ୍ତି ହେଉଛି। ସକାଳେ ରଥ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି ହୋଇଥିଲା। ଗଜପତି ମହାରାଜା ହେଉଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ।

କିଭଳି ହୁଏ ଛେରାପହଁରା ନୀତି:
ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ। ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ।

ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି। ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି।

ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଂଗେ ସଂଗେ ଶ୍ରୀନଅର ଅଗଣାରେ ରଖାଯାଇଥିବା କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୈାପ୍ୟ ନିର୍ମିତ ତାମଯାନରେ ବିଜେ କରିଥାନ୍ତି। ଶ୍ରୀନଅରରୁ ବିଜେ କରିବା ସମୟରେ ବେହେରା ଖୁଂଟିଆ ଆଗରେ ରହିଥାନ୍ତି , କାହାଳୀ ଓ ବଜନ୍ତରୀ ବାଦ୍ୟର ତାଳେତାଳେ ପଟୁଆର ଶୋଭାଯାତ୍ରାରେ ଗଜପତି ରଥ ଆଡକୁ ଆସୁଥିବା ବେଳେ ବଡଦାଣ୍ଡରେ ହରିବୋଲ ଓ ହୁଳୁହୁଳି ଦେଇ ଠାକୁରମାନଙ୍କର ଜୟଜୟକାର କରିଥାନ୍ତି।

ସର୍ବପ୍ରଥମେ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଯାନ ରହେ , ଏବଂ ତାପରେ ଗଜପତି ମହାରାଜ ଉକ୍ତ ରଥ ଉପରକୁ ଉଠିଥାନ୍ତି। ତାଙ୍କ ସାଙ୍ଗରେ ରାଜପରିବାରର ସଦସ୍ୟ ରାଜଗୁରୁ, ଲେଙ୍କା, ବେହେରା ଖୁଂଟିଆ, ଗରାବଡୁ ଓ ଦେଉଳକରଣ ଆଦି ସେବକ ମଧ୍ୟ ରହିଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି। ରାଜଗୁରି ମୁଦୁଲି ସେବକଙ୍କ ଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି। ଏହି କ୍ରମରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଓ ଦେବୀ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ନୀତି ସଂପନ୍ନ ହୋଇଥାଏ। ଛେରା ପହଁରା ସରିବା ପରେ ଗଜପତି ମହାରାଜା ତାମଯାନରେ ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି।

Comments are closed.