Odisha Link
Bridging the Missing Links in Odisha

ଆଜିଠୁ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ କଟକଣା ପାଇଁ ବନ୍ଦ ଥିଲା ଦର୍ଶନୀୟ ସ୍ଥାନ। ହେଲେ ବର୍ତ୍ତମାନ ସାରା ଦେଶରେ ଅନ୍‌ଲକ୍-୨ କଟକଣା କାର୍ଯ୍ୟକାରୀ ହେଉଛି। ଏସବୁ ମଧ୍ୟରେ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ଜୁଲାଇ ୬ ତାରିଖ ଅର୍ଥାତ୍‌ ଆଜିଠ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ। ସୋମବାରଠାରୁ ଓଡ଼ିଶାର ୯ଟି ଜିଲ୍ଲାରେ ଥିବା ୧୮ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳକୁ ଏଏସ୍‌ଆଇ ଖୋଲିବାକୁ ଯୋଜନା କରିଛି। କରୋନା ଅନ୍‌ଲକ୍‌ର ଦ୍ବିତୀୟ ପର୍ଯ୍ୟାୟରେ ଏଏସ୍‌ଆଇ ଅଧୀନରେ ଥିବା ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୧୨ଟି ଜିଲ୍ଲାରେ ଥିବା ୩୧ଟି କୀର୍ତ୍ତିସ୍ଥଳ ଖୋଲିବାକୁ ଏଏସ୍‌ଆଇ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। କରୋନା ସ୍ଥିତିକୁ ଦେଖି ଏବେସୁଦ୍ଧା ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କୀର୍ତ୍ତିରାଜି ସ୍ଥଳ ନ ଖୋଲିବାକୁ ଏଏସ୍‌ଆଇକୁ ସ୍ପଷ୍ଟ କରି ଦେଇଥିବାବେଳେ ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଅନୁଗୁଳ. ବଲାଙ୍ଗୀର, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏଯାଏ କିଛି ବି ସ୍ପଷ୍ଟ କରିନାହାନ୍ତି। ସେଥିପାଇଁ ଏସବୁ ଜିଲ୍ଲାରେ ଥିବା ଐତିହ୍ୟ କୀର୍ତ୍ତିସ୍ଥଳଗୁଡ଼ିକୁ ଖୋଲିବାକୁ ଏଏସ୍‌ଆଇ ସବୁ ପ୍ରକାର ପ୍ରସ୍ତୁତି କରିଛି।

ଏଏସ୍‌ଆଇର ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି ଯେ, ଏଏସ୍‌ଆଇ ଅଧୀନରେ ଥିବା ଐତିହ୍ୟ ସ୍ଥଳଗୁଡ଼ିକୁ ଜୁଲାଇ ୬ ତାରିଖରୁ ଖୋଲିବାକୁ ଗତ ୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁଯାୟୀ ଓଡ଼ିଶାରେ ଥିବା କୀର୍ତ୍ତିସ୍ଥଳଗୁଡ଼ିକୁ ଖୋଲିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା। ଏହା ଭିତରେ କେବଳ ୩ଟି ଜିଲ୍ଲାର ଜିଲ୍ଲାପାଳ ମାନେ ଐତିହ୍ୟସ୍ଥଳ ଖୋଲିବାକୁ ମନା କରିଥିବାବେଳେ ବାକି ଜିଲ୍ଲାପାଳମାନେ କିଛି ବି ଉତ୍ତର ରଖିନାହାନ୍ତି। ଯେହେତୁ ସେସବୁ ଜିଲ୍ଲା ପ୍ରଶାସନ ଏଯାଏ କିଛି ବି ଉତ୍ତର ରଖିନାହାନ୍ତି, ସେଥିପାଇଁ ଆସନ୍ତାକାଲି ବାରଣ ହୋଇନଥିବା ଐତିହ୍ୟ ସ୍ଥଳଗୁଡ଼ିକ ଖୋଲାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଗାଇଡଲାଇନ୍‌ ଆଧାରରେ ଏସବୁ ସ୍ଥଳ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ଗଞ୍ଜାମ ଜିଲ୍ଲା ଜଉଗଡ଼ର ପାଣ୍ଡିଆଠାରେ ଥିବା ସମ୍ରାଟ ଅଶୋକଙ୍କ ଶିଳାଲେଖ, ଯାଜପୁର ସହରରେ ଥିବା ବରାହୀ, ଚାମୁଣ୍ଡା, ଇନ୍ଦ୍ରାଣୀ, କଳିଯୁଗ ମୂର୍ତ୍ତି ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ। ଏହାସହିତ ଯାଜପୁରର ବୌଦ୍ଧ ମୂର୍ତ୍ତି, ରତ୍ନଗିରି ଭାସ୍କର୍ଯ୍ୟ, ଚଣ୍ଡିଆର ଉଦୟଗିରି ପାହାଡ଼, ଲଙ୍ଗୁଡ଼ି ପାହାଡ଼ରେ ଥିବା ପୁରୁଣା ବୌଦ୍ଧ କୀର୍ତ୍ତିସ୍ଥଳ, ଶିରିଆପୁରର ମରାଠା ବ୍ରିଜ୍‌ ଓ ଚଣ୍ଡେଶ୍ବର ଖମ୍ବ, କେନ୍ଦୁଝର ଡାଙ୍ଗୁଆପଷୀର ସୀତାବିଞ୍ଜ୍‌, ମୟୂରଭଞ୍ଜର ବୈଦ୍ୟପୁର, କୁଚାଇ, କୁଳିଅଣା ଓ ହରିପୁର ପ୍ରାକ୍‌ ଐତିହାସିକ ସ୍ଥଳ, ଝାରୁସୁଗୁଡ଼ାର ବିକ୍ରମଖୋଲ ଶିଳାଲେଖ ପର୍ଯ୍ୟଟନ ସ୍ଥଳ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଅନୁଗୁଳ ଜିଲ୍ଲା ରାସୋଳରେ ଥିବା ପ୍ରସ୍ତର ନିର୍ମିତ ବିଷ୍ଣୁ ମୂର୍ତ୍ତି, ବଲାଙ୍ଗୀର ଝରିଆଲର ଚଉଷଠି ଯୋଗିନୀ ମନ୍ଦିର, ଢେଙ୍କାନାଳ ଜିଲ୍ଲା ସରାଙ୍ଗର ଅନନ୍ତ ଶୟନ ବିଷ୍ଣୁ ଓ କଳାହାଣ୍ଡି ଜିଲ୍ଲା ଅସୁରଗଡ଼ର ଐତିହ୍ୟ ଦୁର୍ଗ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ।

Comments are closed.