Odisha Link
Bridging the Missing Links in Odisha

ମୋ ଭାଇ ଓ ମୋତେ ଭଉଣୀ ଦାଉରୁ ରକ୍ଷା କରନ୍ତୁ: ଦୂତୀ ଚାନ୍ଦ

ଭୁବନେଶ୍ବର: ଭଉଣୀ ଡରାଉଛି। ଆମକୁ ଘରକୁ ଯିବାକୁ ଦେଉନାହିଁ, ବାପା-ମା’ଙ୍କ ସହ ମିଶିବାକୁ ଦେଉନାହିଁ। ମୋ ଭାଇ ଓ ମୁଁ ଘରକୁ ଯାଇପାରୁନାହୁଁ। ଆମକୁ ରକ୍ଷା କରନ୍ତୁ।

ଆଜି ନିଜର ଫେସବୁକ କାନ୍ଥରେ ଏଭଳି ଲେଖିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ। ପୂର୍ବରୁ ତାଙ୍କର ପ୍ରେମ ସମ୍ପର୍କ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଭଉଣୀ ସରସ୍ବତୀ ଚାନ୍ଦଙ୍କ ସହ ବିବାଦ ଚର୍ଚାକୁ ଆସିଥିଲା। ତାଙ୍କ ସମଲିଙ୍ଗୀ ସମ୍ପର୍କକୁ ସରସ୍ବତୀ ବିରୋଧ କରୁଥିବା ଅଭିଯୋଗ ଆଣିଥିଲେ ଦୂତୀ। ଏ ନେଇ ଗତକାଲି ସେ ଗଣମାଧ୍ୟମରେ ମତ ରଖିଥିବା ବେଳେ ସରସ୍ବତୀ ମଧ୍ୟ ସମଲିଙ୍ଗୀ ଓ ଆସାମର ଜଣେ ମହିଳାଙ୍କୁ ଆଣି ଘରେ ରଖିଛନ୍ତି ବୋଲି ଦୂତୀ ଅଭିଯୋଗ କରିଥିଲେ।

ଆଜି ଫେସବୁକରେ ଦୂତୀ ନିଜର ଭାଇଙ୍କ ବାବଦରେ ସୂଚନା ଦେଇଛନ୍ତି। ତାଙ୍କ ବଡ଼ଭାଇ ରବୀନ୍ଦ୍ର ଚାନ୍ଦ ୨୦୦୯ରେ ପ୍ରେମ ବିବାହ କରିଥିଲେ ଓ ଏହାକୁ ସରସ୍ବତୀ ବିରୋଧ କରିଥିଲେ। ସେବେଠାରୁ ରବୀନ୍ଦ୍ର ନିଜ ପରିବାର ସହ ଘର ଠାରୁ ଦୂରରେ ରହୁଛନ୍ତି ବୋଲି ଦୂତୀ କହିଛନ୍ତି। ବାପା-ମା’ଙ୍କୁ ମଧ୍ୟ ସରସ୍ବତୀ ଡରେଇ ରଖିଛନ୍ତି ଓ ତାଙ୍କ କଥାରେ ବାପା-ମା’ କାମ କରୁଥିବା ଅଭିଯୋଗ ଆଣିଛନ୍ତି ଦୂତୀ। ହିଟଲର ଭଳି ତାଙ୍କ ଭଉଣୀଙ୍କ ଠାରୁ ତାଙ୍କୁ ଓ ଭାଇଙ୍କୁ ରକ୍ଷା କରିବାକୁ ଦୂତୀ ସାମାଜିକ ଗଣମାଧ୍ୟମରେ ଅନୁରୋଧ ରଖିଛନ୍ତି।

ଦୂତୀ ନିଜ ଭାଇ-ଭାଉଜଙ୍କ ଫଟୋ ଛାଡ଼ି ଏହିପରି ଲେଖିଛନ୍ତି:

ଏ ଯୋଉ ଫୋଟ ଦେଖୁଛନ୍ତି। ସେ ହେଉଛନ୍ତି ମୋ ନିଜ ରକ୍ତ ର ବଡ ଭାଇ ରବିନ୍ଦ୍ର ଚାଦ୍ ଯିଏ କି ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ। ଯାହା ମୋ ବଡ ଦିଦି ସରସ୍ଵତୀ ଚନ୍ଦ୍ ଙ୍କୁ ପସନ୍ଦ ନ ଥିଲା ଯାହା ଦ୍ବାର ମୋ ବଡ ଦିଦି ତାକୁ ଘରେ ପୁରାଇ ଦେଲା ନାହିଁ। ଅନେ ମାଡ ଗାଳି ଦେଇ ତାଙ୍କୁ ଘରୁ ବିଦା କରିଦେଲେ ମୋ ମାଆ ଯେତେ ଚେଷ୍ଟା କଲେବି ମୋ ବଡ ଦିଦି ସରସ୍ଵତୀ ଚନ୍ଦ ଙ୍କ ଧମକ ଭୟ ରେ ଭାଇକୁ ଘରେ ରଖିପାରିଲା ନାହିଁ। ଶେଷରେ ମୋ ଭାଇ ଘର ଛାଡି ବାହାରେ ପଡି ରହିଛି । ଦୀର୍ଘ ୧୨ ବର୍ଷ ବାହାରେ ରହିବା ସତେ ଆଜି ପର୍ଯ୍ୟନ୍ତ ମୋ ଭାଇ ଘରକୁ ଫେରିପାରିଲେ ନାହିଁ। ସତରେ କଣ ପ୍ରେମ ଟା ଏତେ ଖରାପ ପ୍ରେମ ବିବାହ କରିବାଟା କଣ ପାପ? ସେମିତି ମୋ ପ୍ରେମ ସମ୍ପର୍କ କୁ ନେଇ ମୋ ବଡ ଦିଦି ସରସ୍ଵତୀ ଚନ୍ଦ୍ ମଧ୍ଯ ବିରୋଧ କରୁଛନ୍ତି। ମୋତେ ଘରକୁ ଯିବାକୁ ଦେଉନାହାନ୍ତି ମୋ ବାପା ମାଆ ଙ୍କ ସହିତ କଥାବାର୍ତ୍ତ ମଧ୍ଯ କରାଇ ଦେଉନାହଁନ୍ତି। ମୋ ବାପା ମାଆଙ୍କୁ ଧମକ ଚମକ ଦେଇ ଡରେଇକି ରଖିଛନ୍ତି। ଯାହା ଦ୍ବାର ମୋ ମାଆ ସମାଜ ଆଗରେ ମୋତେ ବହୁତ ବଦ୍ନାମ କରୁଛିନ୍ତି। ଏଥିରେ ମୋ ମାଆ ର କିଛିବି ଦୋଷ ନାହିଁ। ଯାହା ସବୁ କରୁଛିନ୍ତି ବା କହୁଛନ୍ତି। କେବଳ ମୋ ଦିଦି ସରସ୍ଵତୀ ଚନ୍ଦ୍ ଙ୍କ ଡରରେ। ସମସ୍ତଙ୍କୁ ଅନୁରୋଧ କରୁଛି। ମୋ ହିଟଲର ଦିଦି ସରସ୍ଵତୀ ଚନ୍ଦ୍ ଙ୍କ ଠାରୁ ଆମକୁ ରକ୍ଷା କରନ୍ତୁ।

Comments are closed.