ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଓଏଲ୍ ବ୍ୟୁରୋ: ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି। କରୋନାର ପ୍ରଥମ ମାମଲା ଚିହ୍ନଟ ପରେ ଶାସନ ମୁଖ୍ୟ କିମ ଜୋଙ୍ଗ-ଉନ୍ ପ୍ରଶାସନ ସୀମାରେ ଥିବା କେସୋଙ୍ଗକୁ ଲକଡାଉନ ଘୋଷଣା କରିଛନ୍ତି। କରୋନା ଆକ୍ରାନ୍ତ ଜଣଙ୍କ ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆ ଯାଇଥିଲେ, ବର୍ତ୍ତମାନ ସେ ବେଆଇନ ଭାବେ ଏଠାକୁ ଆସିଛନ୍ତି ବୋଲି କିମ ଜୋଙ୍ଗ କହିଛନ୍ତି।
ଉତ୍ତର କୋରିଆ କ୍ରମାଗତ ଭାବରେ କହି ଆସୁଛି ଯେ, ତାଙ୍କ ଦେଶରେ କରୋନା ମାମଲା ନାହିଁ। କିନ୍ତୁ ଉତ୍ତର କୋରିଆର ଏହି ଦାବି ଉପରେ ବାହ୍ୟ ବାରମ୍ବାର ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି। କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ସୂଚନା ମୁତାବକ, ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଜଣେ ପଳାତକ ଯିଏ କି ଦକ୍ଷିଣ କୋରିଆକୁ ପଳାଇଥିଲେ ଏବଂ ଗତ ସପ୍ତାହରେ ବେଆଇନ ଭାବେ ଉତ୍ତର କୋରିଆ ସୀମାରେ ପ୍ରବେଶ କରିଛନ୍ତି। ତାଙ୍କର ଲକ୍ଷ୍ୟଣରୁ ଜଣାପଡ଼ିଛି ଯେ ଉକ୍ତ ବ୍ୟକ୍ତି ଜଣଙ୍କ କରୋନା ସଂକ୍ରମିତ। ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।
ଉତ୍ତର କୋରିଆ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରାୟ ସମସ୍ତ ସୀମାରେ ପ୍ରବେଶପଥ ବନ୍ଦ କରାଯାଇଥିଲା। ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରାଯାଇଥିଲା ଏବଂ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖିବାସହ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା।