Odisha Link
Bridging the Missing Links in Odisha

ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ: ପ୍ରବାସୀ ଭାରତୀୟଙ୍କ ପାଇଁ ଥିଲେ ଦେବଦୂତ, ଜାଣନ୍ତୁ ଆଉ କିଛି ଅଜଣା କଥା

ଭୁବନେଶ୍ବର: ସୁଷମା ସ୍ବରାଜ ନାମ ଟି କାହାକୁ ବି ଅଜଣା। ନାମ ଯେମିତି କାମ ବି ଠିକ୍‌ ସେମିତି। ସୁଷମାଙ୍କ ଶେଷ ନାମଟି ସ୍ବରାଜ ଏବଂ ସେ ସଦାବେଳେ ସ୍ବରାଜ୍ୟ ପାଇଁ କାର୍ଯ୍ୟ କରିଥାନ୍ତି। ୨୦୧୯ ଆଜିର ଦିନରେ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିଲା। ୨୦୧୯ ଅଗଷ୍ଟ ୬ ରାତିରେ ୬୭ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସ୍‌ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା। ଆଜି ହେଉଛି ସୁଷମାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ। ତେବେ ସୁଷମାଙ୍କ ସହ ଜଡ଼ିତ ବହୁ ରୋଚକ ତଥ୍ୟ ରହିଛି ଯାହା ଅନେକଙ୍କୁ ଅଜଣା।

ଟ୍ବିଟରରେ ଯୋଗାଉଥିଲେ ସେବା:
ବିଦେଶ ମନ୍ତ୍ରୀ ଥିବାବେଳେ ପ୍ରବାସୀ ଭାରତୀୟଙ୍କୁ ସହାୟତା କରି ସମସ୍ତଙ୍କ ହୃଦୟ ଜିଣିଥିଲେ ସୁଷମା। ସୁଷମା ସ୍ବରାଜ ନିଜର ରାଜନୈତିକ କ୍ୟାରିୟରର ପ୍ରଥମ ଦିନରୁ ହିଁ ସମସ୍ତଙ୍କ ପସନ୍ଦ ପାଲଟିଥିଲେ। ଏପରି କି ଟ୍ବିଟରରେ ସେ ଆଦେଶ ଜାରି କରି ଡିଜିଟାଲ ପ୍ରଶାସନର ଏଭଳି ଉଦାହରଣ ସୃଷ୍ଟି କରିଥିଲେ, ଯାହାର ପ୍ରଶଂସକ ସାରା ବିଶ୍ଵରେ ଥିଲେ। ଟ୍ବିଟରେ ସାହାଯ୍ୟ ମାଗୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ସାରା ବିଶ୍ବରେ ଉଦାହରଣ ସୃଷ୍ଟି କରିଥିଲେ ସୁଷମା।

୨ଟି ଲିମକା ରେକର୍ଡ଼:
ସୁଷମା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଇନିଂସରେ ବିଦେଶ ମନ୍ତ୍ରୀ ରହିଥିଲେ। ଏହି ସମୟରେ ଟ୍ବିଟରରେ ତାଙ୍କର ସବୁଠାରୁ ଅଧିକ ଫଲୋଅର ଥିବାରୁ ସୁଷମାଙ୍କୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ମିଳିଥିଲା। ଏହା ପୂର୍ବରୁ ବି ସେ ଆଉଥରେ ଲିମକା ରେକର୍ଡ୍ସରେ ନିଜର ନାମ ଲେଖିଥିଲେ। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍ସ ସୁଷମା ଏବଂ ତାଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କୁ ଦୁନିଆର ସବୁଠାରୁ ପ୍ରତିଷ୍ଠିତ ଦମ୍ପତି ହିସାବରେ ଏହି ସ୍ଥାନ ଦେଇଥିଲା। ସୁଷମା ସାଂସଦ ବ୍ୟତୀତ ମିଜୋରମ୍‌ର ରାଜ୍ୟପାଳ ବି ଥିଲେ।

ଚର୍ଚ୍ଚିତ ସୁଷମା:
ସଂସ୍କୃତ ଏବଂ ରାଜନୀତି ଶାସ୍ତ୍ରରେ ସ୍ନାତକ କରିଥିବା ସୁଷମା ଭାରତୀୟ ସଂସଦଠାରୁ ଆରମ୍ଭ କରି ଜାତିସଂଘ ମହାସଭା ପର୍ଯ୍ୟନ୍ତ ହିନ୍ଦୀରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ଜଣେ ହିନ୍ଦୀ ବକ୍ତା ଭାବରେ ମଧ୍ୟ ଆରମ୍ଭରୁ ପ୍ରଖର ପ୍ରତିଭାଶାଳୀ ଥିଲେ। ସେ ହରିୟାଣାର ଭାଷା ବିଭାଗ ପକ୍ଷରୁ ଆୟୋଜିତ ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ ଲଗାତାର ୩ବର୍ଷ ଧରି ଶ୍ରେଷ୍ଠ ବକ୍ତା ଭାବେ ପୁରସ୍କୃତ ହୋଇଥିଲେ। ତାଙ୍କୁ ହରିୟାଣା ବିଧାନସଭା ପକ୍ଷରୁ ଶ୍ରେଷ୍ଠ ହିନ୍ଦୀ ବକ୍ତା ଭାବେ ସମ୍ମାନିତ କରାଯାଇଥିଲା। ସୁଷମା ରାଜନୀତିକୁ ଆସିବା ପୂର୍ବରୁ ଯୋଦ୍ଧାର ଖାକି ପୋଷାକ ପିନ୍ଧିଥିଲେ। ସେ ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ଅମ୍ବାଲାର ଏସଡି କଲେଜରେ ଏନସିସିର ଶ୍ରେଷ୍ଠ କ୍ୟାଡେଟ ଭାବେ ମନୋନୀତ ହୋଇଥିଲେ।

ବଲିଉଡକୁ ଶ୍ରେୟ:
ବଲିଉଡ୍‌କୁ ଉଦ୍ୟୋଗ ମାନ୍ୟତା ପ୍ରଦାନ କରିଥିଲେ ସୁଷମା। ଫଳରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତାମାନେ ବ୍ୟାଙ୍କରୁ ଋଣ ନେଇ ଫିଲ୍ମ ନିର୍ମାଣ କରିବାର ରାସ୍ତା ବାହାରିଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ୧୯୯୮ରେ ସୁଷମା କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥାଇ ବଲିଉଡ୍‌କୁ ଶିଳ୍ପ ଭାବେ ଘୋଷଣା କରିଥିଲେ। ତାଙ୍କର ଏହି ପଦକ୍ଷେପ ଫଳରେ ବଲିଉଡ୍‌ ଫିଲ୍ମରେ ଅଣ୍ଡରୱାର୍ଲ୍ଡର ବେଆଇନ ଟଙ୍କା ଖର୍ଚ୍ଚ ହେବା ଉପରେ ପ୍ରତିବନ୍ଧକ ଲାଗିଥିଲା ବୋଲି କୁହାଯାଉଛି।

Comments are closed.