Odisha Link
Bridging the Missing Links in Odisha

କର୍ପୋରେଟ୍‌ ପାଣ୍ଠି ବିବାଦ: ବିଶ୍ବ ନୃତତ୍ତ୍ବ ମହାସଭା ଆୟୋଜନରୁ ବାଦ ପଡ଼ିଲା କିସ୍

ଭୁବନେଶ୍ବର: ବିଶ୍ବର ସବୁଠୁ ବଡ଼ ଆଦିବାସୀ ବିଶ୍ବବିଦ୍ୟାଳୟ କହାଯାଉଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ (KISS) ପରିସରରେ ୨୦୨୩ ମସିହାରେ ହେବାକୁ ଥିବା ୧୯ତମ ବିଶ୍ବ ନୃତତ୍ବ ମହାସଭା (World Anthropology Congress 2023) ଅନୁଷ୍ଠିତ ହେବାଲାଗି ସ୍ଥିର ହୋଇଥିଲା। ୨୦୧୮ ମସିହାରୁ ଏ ନେଇ କିସ୍‌କୁ ସବୁଜ ସଙ୍କେତ ମିଳିଥିଲେ ବି ଏବେ International Union of Anthropological and Ethnological Sciences (IUAES)ର କାର୍ଯ୍ୟନିର୍ବାହୀ କମିଟି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅଗଷ୍ଟ ୧୬ ତାରିଖରେ ଏ ନେଇ IUAESର ସଭାପତି ଜୁଂଜି କୋଇଜୁମି ଓ ସଚିବ ନୋଏଲ୍‌ ବି. ସାଲାଜାର ଆନ୍ଥ୍ରୋପୋଲୋଜି କଂଗ୍ରେସର ଅନ୍ୟତମ ସହ-ଆୟୋଜକ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡିକେ ବେହେରାଙ୍କୁ ଚିଠି ଲେଖି ଜଣାଇଛନ୍ତି। କିସ୍‌କୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିବାଦ ଉପୁଜିବାରୁ ଏହି ବିଶ୍ବସ୍ତରୀୟ ସଭା ଆୟୋଜନରୁ ବାଦ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ ଅଛି।

କିସ୍‌ରେ ଏଭଳି ବିଶ୍ବସ୍ତରୀୟ ମହାସଭା ଆୟୋଜନ ନ କରିବା ପାଇଁ ଗତ ମାସରେ ବିଶ୍ବବ୍ୟାପୀ ଆଦିବାସୀ ନେତାମାନେ IUAESକୁ ଦାବି ଜଣାଇଥିଲେ। ଏ ନେଇ ଏକ ଅନ୍‌ଲାଇନ୍‌ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଥିଲା। ଦେଶ ଓ ଦେଶ ବାହାରେ ଏ ନେଇ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। କିସ୍‌ ଆଦିବାସୀ ପିଲାଙ୍କୁ ସମ୍ପୂର୍ଣ୍ଣ ମଣିଷ ଭାବେ ବିବେଚନା କରୁନାହିଁ ଓ ଏହାର ଶିକ୍ଷାକେନ୍ଦ୍ରକୁ ଏକ ନୃତତ୍ବ ଗବେଷଣାଗାର କହୁଛି ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଥିଲେ। ଏହା ଭିନ୍ନ ଖଣିଖୋର୍‌ ଅଦାନୀ ଭଳି ବିଭିନ୍ନ କର୍ପୋରେଟ୍‌‌ରୁ ପାଣ୍ଠି ଆଣି କିସ୍‌ ପରିଚାଳନା କରାଯାଉଥିବାରୁ ଏହାକୁ ବିଶ୍ବର ସବୁଠୁ ବଡ଼ ଫ୍ୟାକ୍ଟୋରୀ ସ୍କୁଲ ବୋଲି ବିରୋଧୀ ଅଭିହିତ କରିଥିଲେ।

ଆଦିବାସୀ ନେତା, ସାମାଜିକ କର୍ମୀ ଓ ଅନ୍ୟ ମହଲରୁ ପ୍ରବଳ ଚାପ ପଡ଼ିବା ପରେ ଦୁଇଦିନ ତଳେ କିସ୍‌କୁ ଓ୍ବାର୍ଡ ଆନ୍ଥ୍ରୋପଲୋଜି କଂଗ୍ରେସ୍‌ ୨୦୨୩ ଆୟୋଜନରୁ ବାଦ ଦେଇଛି IUAES ଅନୁଷ୍ଠାନ। ପୂର୍ବରୁ କିସ୍‌କୁ ମୁଖ୍ୟ ଆୟୋଜକ ରଖାଯାଇଥିବା ବେଳେ ବୈଷୟିକ ଓ ଶୈକ୍ଷିକ ସହଯୋଗୀ ଭାବେ ଭାରତୀୟ ନୃତତ୍ତ୍ବ ପରିଷଦ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ବବିଦ୍ୟାଳୟକୁ ସହ-ଆୟୋଜକ ରଖାଯାଇଥିଲା। କିସ୍‌କୁ ବାଦ୍‌ ଦେବା ପରେ ଏବେ IUAES ଆର୍ଥିକ ଚାପ ପଡ଼ିଛି। ଏହି ଅସୁବିଧାରୁ ଓହରି ୨୦୨୩ରେ କଂଗ୍ରେସ୍‌ ଆୟୋଜନ ଲାଗି ଉପାୟ ପାଞ୍ଚିବାକୁ ଭାରତ ଓ ଭାରତ ବାହାରେ ନୃତତ୍ବ ଗବେଷଣା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତିତ୍ବଙ୍କୁ ସହଯୋଗ ପାଇଁ IUAES ଅନୁରୋଧ କରିଛି।

ବିଜୁ ଜନତା ଦଳ ନେତା ତଥା କନ୍ଧମାଳ ଲୋକସଭା କ୍ଷେତ୍ରର ସାଂସଦ ଡ. ଅଚ୍ୟୁତ ସାମନ୍ତ ହେଉଛନ୍ତି କିସ୍‌ ଅନୁଷ୍ଠାନର ପ୍ରତିଷ୍ଠାତା।

Comments are closed.