Odisha Link
Bridging the Missing Links in Odisha

କିପରି କରିବେ ଅଗ୍ର ପୂଜ୍ୟଙ୍କୁ ପୂଜା

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଏ। ପ୍ରଭୁ ଗଣେଶ ହେଉଛନ୍ତି ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର। ହିନ୍ଦୁ ଧର୍ମରେ ଗଣେଶଙ୍କୁ ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଆବାହନ କରାଯାଏ। ପ୍ରଭୁ ଗଣେଶଙ୍କ ମଧ୍ୟରେ ସମସ୍ତ ସକାରାତ୍ମକ ଗୁଣ ଓ ଶକ୍ତି ସମାହିତ ଅଟେ। ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପ୍ରଥମେ ପୂଜା କରି କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହୁଏ ବୋଲି କୁହାଯାଏ।ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨ ତାରିଖରେ ପାଳନ ହେଉଛି। ଶିକ୍ଷାନୁଷ୍ଠାନ ଓ ଘରେ ମଧ୍ୟ ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ। ତେବେ ଶ୍ରୀ ଗଣେଶଙ୍କ ପୂଜା ପାଇଁ କିଛି ନିର୍ଦ୍ଦିଷ୍ଟ ବିଧି ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୁରଣ ହୋଇଥାଏ ।

* ଗଣେଶ ପୂଜା ପାଇଁ ଗଣେଶ ମୂର୍ତ୍ତି, ଫୁଲ ଏବଂ ୨୧ଟି ଦୁବ ଆଣନ୍ତୁ।

* ବ୍ରାହ୍ମଣଙ୍କ ଦ୍ୱାରା ସଂକଳ୍ପ କରିବା ପରେ ଗଣେଶ ମୂର୍ତ୍ତିଙ୍କୁ ଫୁଲ, ଚାଉଳ, ନୂଆ କପଡ଼ାର ଆସନ ଉପରେ ଦକ୍ଷିଣ ଦିଗକୁ ମୁଖ କରି ସ୍ଥାପନା କରନ୍ତୁ।

* ମୂର୍ତ୍ତିର ଡାହାଣ ପାଶ୍ୱର୍ରେ ତମ୍ବା କିମ୍ବା ରୁପା କଳସରେ ପାଣି ରଖନ୍ତୁ। ଏହି କଳସକୁ ଚାଉଳ କିମ୍ବା ଫୁଲ ଉପରେ ସ୍ଥାପନା କରନ୍ତୁ। ବାମ ପାଶ୍ୱର୍ରେ ଘିଅ ଦୀପ ରଖନ୍ତୁ। ଏହି ଦୀପକୁ ମଧ୍ୟ ଫୁଲ କିମ୍ବା ଚାଉଳ ଉପରେ ରଖନ୍ତୁ।

*ଫୁଲ ଓ ଦୁବ ଦେବା ସମୟରେ ଶ୍ରୀ ଗଣେଶଙ୍କର ୧୦ଟି ନାମ ଉଚ୍ଚାରଣ କରିନ୍ତୁ ଏବଂ ପ୍ରତି ଗୋଟିଏ ନାମ ଉଚ୍ଚାରଣ ସମୟରେ ଦୁଇଟି ଦୁବ ଚଢ଼ାନ୍ତୁ। ଶେଷରେ ରହିଥିବା ଗୋଟିଏ ଦୁବକୁ ବରଦା ଗଣେଶଙ୍କ ନାମରେ ଚଢ଼ାନ୍ତୁ।

*ଗଣେଶଙ୍କୁ ଚନ୍ଦନ, ସିନ୍ଦୁର ଓ ଅକ୍ଷତ ସହିତ ପୂଜା ଓ ଆବାହନ କରନ୍ତୁ। କିନ୍ତୁ ମନେ ରଖନ୍ତୁ ଗଣେଶଙ୍କୁ ଆଦୌ ତୁଳସୀ ଚଢ଼ାଇବେ ନାହିଁ। ଗଣେଶଙ୍କ ଫଟୋ ଆଣି ପୂଜା କରୁଥିଲେ, ତାଙ୍କ ସହ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ଚିତ୍ର ଥିବା ଫଟୋ ରଖନ୍ତୁ।

*ଯଦି ପୂଜାଘରେ ପୂର୍ବରୁ ଗଣେଶ ମୂର୍ତ୍ତି କିମ୍ବା ଫଟୋ ରହିଛି, ତେବେ ଗଣେଷଙ୍କର ଅନ୍ୟ ମୂର୍ତ୍ତି କିମ୍ବା ଫଟୋ ଆଣନ୍ତୁ ନାହିଁ। ପୂଜା ଘରେ ଗୋଟିଏ ଠାକୁରଙ୍କ ଦୁଇଟି ମୂୂର୍ତ୍ତି ରହିବା ଅଶୁଭ।

*ପୂଜା ସରିବା ପରେ ଗଣେଶଙ୍କୁ ୨୧ଟି ମୋଦକ ଭୋଗ ଲଗାନ୍ତୁ। ଲଡ଼ୁ ଭୋଗ କରୁଥିଲେ ମଧ୍ୟ ୨୧ଟି ଲଡ଼ୁ ହିଁ ଭୋଗ ଲଗାନ୍ତୁ। ଫଳ ଓ ଅନ୍ୟ ମିଠା ଜିନିଷ ମଧ୍ୟ ଭୋଗ ଲଗାଇପାରିବେ। ଗଣେଶ ପୂଜାରେ ଲାଲ୍ ରଙ୍ଗର ମହତ୍ୱ ଅଧିକ ଥାଏ। ତେଣୁ ଏ ପ୍ରତି ଧ୍ୟାନ ଦେବେ।

*ଏହି ଦିନ ଭୁଲରେ ମଧ୍ୟ ଚନ୍ଦ୍ର ଦର୍ଶନ କରେବେ ନାହିଁ।

* ଦୁବ ସହିତ ଫୁଲ, ୫ଟି ଅଳେଇଚ, ପାନପତ୍ର, ଗୁଆ ଓ ନଡ଼ିଆ ଗଣେଶଙ୍କୁ ଅର୍ପଣ କରନ୍ତୁ। ୩, ୫, ୭ ଦିନ ପରେ ମୂର୍ତ୍ତି ବିସର୍ଜନ କରନ୍ତୁ। କିନ୍ତୁ ପ୍ରତ୍ୟେକ ଦିନ ଗଣେଶଙ୍କୁ ଲାଗି ହୋଇଥିବା ଫୁଲ ଓ ଦୁବ ବାହାର କରନ୍ତୁ। ନୂଆ ଫୁଲ ଓ ଦୁବକୁ ପୂର୍ବଭଳି ବିଧି ସହିତ ଗଣେଶଙ୍କୁ ଚଢ଼ାନ୍ତୁ।

Comments are closed.