Odisha Link
Bridging the Missing Links in Odisha

ଗଣେଶ କାହିଁକି ଅଗ୍ରପୂଜ୍ୟ ଜାଣନ୍ତୁ….

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ସନାତନ ହିନ୍ଦୁ ଧର୍ମରେ ଗଣେଶଙ୍କୁ କେବଳ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ। ଯେକୌଣସି ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଏ। ଗଣେଶ ସିଦ୍ଧି, ସମୃଦ୍ଧି ଓ ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପ୍ରଥମେ ପୂଜା କରି କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହୁଏ ବୋଲି ଗଣେଶ ଅଗ୍ରପୂଜ୍ୟ ଅଟନ୍ତି।

ଶିବ ପୁରାଣ ଅନୁଯାୟୀ, ଥରେ ସମସ୍ତ ଦେବତାମାନେ ମହାଦେବଙ୍କ ନିକଟକୁ ଯାଇ ଦେବତାଙ୍କ‌ ମଧ୍ୟରେ ଜଣଙ୍କୁ ଅଗ୍ରପୂଜ୍ୟ ରୂପେ ଚୟନ କରିବାକୁ କହିଥିଲେ। ମହାଦେବ ଏହି କଥାରେ ସହମତି ହୋଇ କହିଲେ, ଯିଏ ସର୍ବପ୍ରଥମେ ପୃଥବୀକୁ ୩ ଥର ପରିକ୍ରମା କରି ଆସିବ ସେ ହିଁ ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଭାବେ ପରିଗଣିତ ହେବ। ଏହା ପରେ ସବୁ ଦେବତା ନିଜ ବାହାନରେ ପୃଥବୀ ପରିକ୍ରମା ନିମନ୍ତେ ବାହାରି ଗଲେ। ଗଣେଶଙ୍କ ବାହାନ ମୂଷିକ ହୋଇଥିବାରୁ ସେ ପୃଥବୀକୁ ୩ ଥର ପରିକ୍ରମା କରିବା ବିଳମ୍ଭସାଧ୍ୟ ବୋଲି ଜାଣିଥିଲେ।

ଗଣେଶ ନିଜର ବୁଦ୍ଧି ଖଟାଇ, ପିତା ମହାଦେବ ଓ ମାତା ପାର୍ବତୀଙ୍କୁ ୩ ଥର ପରିକ୍ରମା କରି ଦେବତାମାନଙ୍କ ଆଗରେ ଠିଆ ହୋଇଗଲେ। ମହାଦେବ ଓ ପାର୍ବତୀ ଗଣେଶଙ୍କ ଚତୁରତା ଜାଣି ପାରିଲେ ଏବଂ କହିଲେ ଗଣେଶ ତୁମେ ବହୁତ ବୁଦ୍ଧିମାନ। ମାତା ପିତାଙ୍କୁ ପରିକ୍ରମା କରିବାର ଅର୍ଥ ହେଉଛି ତ୍ରିଲୋକକୁ ପରିକ୍ରମା କରିବା। ଏବଂ ପ୍ରତିଯୋଗିତାରେ ଗଣେଶ ବିଜୟ ଲାଭ କରିବା ସହ ଅଗ୍ରପୂଜ୍ୟର ମାନ୍ୟତା ପାଇଲେ। ସେବେଠାରୁ ସମସ୍ତ ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଏ।

Comments are closed.