Odisha Link
Bridging the Missing Links in Odisha

ଭିଡ଼ିଓ କନ୍‌ଫରେନ୍ସରେ ସୋଆ ଏନ୍‌ଏସ୍‌ଏସ୍‌

ଭୁବନେଶ୍ୱର : କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ। ଭାରତ ସରକାର ତଥା ଓଡ଼ିଶା ସରକାର ମଧ୍ୟ ଏହି କରୋନା ମହାମାରୀଠାରୁ କିପରି ଜନସାଧାରଣକୁ ସୁରକ୍ଷିତ ରଖାଯିବ ତାହାକୁ ନେଇ ଅନେକ ପ୍ରଚେଷ୍ଟା ଜାରି ରହିଛି । ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ସେହିପରି ଏହି ସମୟ ଭିତରେ ଗତ ମଙ୍ଗଳବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତିନି ଘଣ୍ଟିଆ ଏନ୍‌ଏସ୍‌ଏସ୍ ରାଜ୍ୟସ୍ତରୀୟ ଭିଡ଼ିଓ କନ୍‌ଫରେନ୍ସ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଲକ୍‌ଡାଉନ୍ ପରେ ଏନ୍‌ଏସ୍‌ଏସ୍ ମାଧ୍ୟମରେ କିପରି ଶିକ୍ଷାନୁଷ୍ଠାନର ପିଲାମାନଙ୍କୁ ନିଶାଠାରୁ ଦୂରରେ ରଖିବା ବିଷୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ୍ ସଂଯୋଜକ, ପ୍ରୋଗ୍ରାମ ଅଧିକାରୀ ଓ ଜିଲ୍ଲା ପ୍ରୋଗ୍ରାମ୍ ଅଧିକାରୀ ଯୋଗ ଦେଇଥିଲେ। ଏହି କନ୍‌ଫରେନ୍ସରେ ଶିକ୍ଷାନୁଷ୍ଠାନଗୁଡ଼ିକୁ କେମିତି ନିଶାମୁକ୍ତ କରିହେବ ସେ ସମ୍ପର୍କରେ ପ୍ରଶିକ୍ଷକ ଶ୍ରୀ ଇମ୍ରାନ ଅଲ୍ଲୀ ତାଙ୍କ ଅନୁଭୂତିକୁ ପ୍ରକାଶ କରିଥିଲେ। ଲକ୍‌ଡାଉନ୍ ପରେ ଏନ୍‌ଏସ୍‌ଏସ୍ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଶାଠୁ ଦୂରେଇ ରଖିବା ପାଇଁ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସାଶ୍ୱତ ମିଶ୍ର କହିଥିଲେ ।

ଏହି ଏକକ ଏଜେଣ୍ଡା ଭିତିକ ନିଶା ନିବାରଣ କାର୍ଯ୍ୟକ୍ରମର ସଫଳତା ଏନ୍‌ଏସ୍‌ଏସ୍ ଉପରେ ନିର୍ଭର କରୁଛି । ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ କରାଯାଇଥିଲା । ଏଥିରେ ଏନ୍‌ଏସ୍‌ଏସ୍ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଉପସ୍ଥିତ ଥିବା ବେଳେ ସୋଆ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ଓ ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. ଶୋଭନ୍ ପଟ୍ଟନାୟକ ଯୋଗ ଦେଇଥିଲେ ।

Comments are closed.