Odisha Link
Bridging the Missing Links in Odisha

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ଚଳିତବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ତାପସ କୁମାର ମହାନ୍ତି ଓ ବସନ୍ତ କୁମାର ସାହୁଙ୍କ ସମେତ ସବୁ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି ଓଡ଼ିଶାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରୁଥିବା ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷର ସମ୍ମାନଜନକ ରାଷ୍ଟ୍ରୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ମୋର ଅଭିନନ୍ଦନ। ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ତାପସ କୁମାର ମହାନ୍ତିଙ୍କ ଲିଖିତ ‘ଲର୍ଣ୍ଣି ବେଲ୍‌’ ପୁସ୍ତକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି ଏବଂ ବ୍ରେଲ୍ ‘ୱାର୍ଡ୍ ବୁକ’ର ପ୍ରସ୍ତୁତି ତାଙ୍କୁ ଦେଇଛି ଅନନ୍ୟ ପରିଚୟ।

ସେହିପରି ପିଲାଙ୍କୁ ପାଠ ପ୍ରତି ଆକର୍ଷିତ କରିବା ପାଇଁ କଣ୍ଢେଇକୁ ଶିକ୍ଷାଦାନର ମାଧ୍ୟମ କରିଥିବା ବୌଦ୍ଧ ଜିଲ୍ଲା ସରସରା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସାହୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। କଣ୍ଢେଇକୁ ଶିକ୍ଷାଦାନର ମାଧ୍ୟମ କରିଥିବା ବସନ୍ତ କୁମାର ସାହୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ କଣ୍ଢେଇ ତିଆରି କଳାକୁ ସେ ଏକ ବିଷୟ ଭାବେ ପିଲାଙ୍କୁ ଶିଖାଇଥାନ୍ତି । କଣ୍ଢେଇ ସାହାଯ୍ୟରେ ପିଲାଙ୍କୁ ଶିକ୍ଷା ପ୍ରଦାନର ନିଆରା ଶୈଳୀ ତାଙ୍କୁ ନୂଆ ପରିଚୟ ଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ।

Comments are closed.