ସ୍ବତନ୍ତ୍ର ମାଓ ରଣନୀତି ନେଇ ଆଲୋଚନା

ଭୁବନେଶ୍ବର: ରାଜ୍ୟର ସମସ୍ତ ମାଓ ଅଞ୍ଚଳରେ ଆଗକୁ ରଣନୀତି କିଭଳି ରହିବ ସେନେଇ ପୁଲିସ ମହାନିର୍ଦେଶକ ଏବଂ ବିଏସ୍ଏଫ୍ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି। କୋଭିଡ୍-୧୯ ପରିପ୍ରେକ୍ଷିରେ ରାଜ୍ୟରେ ମୁତୟନ ହୋଇଥିବା ବିଏସ୍ଏଫ୍ ଯବାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ବିଏସ୍ଏଫ୍ ଅତିରିକ୍ତ ମହାନିର୍ଦେଶକ ଏସ୍ ଏଲ୍ ଥାଉସେନ୍ ଏବଂ ଆଇଜି(ସ୍ବତନ୍ତ୍ର ଅପରେସନ୍) ହରବିନ୍ଦର ପାଲ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ବିଏସ୍ଏଫ୍ର ଦୁଇ ବରିଷ୍ଠ ଅଧିକାରୀ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟଙ୍କ ସହିତ ଆଗକୁ ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ରଣନୀତି କିଭଳି ରହିବ ସେ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି।
ରାଜ୍ୟରେ ବର୍ତ୍ତମାନ ମାଓ ପ୍ରଭାବିତ ୧୦ ଜିଲାରେ ବିଏସ୍ଏଫ୍ର ୪୮ କମ୍ପାନୀ ମୁତୟନ ହୋଇଛନ୍ତି। କ୍ରମଶଃ ରାଜ୍ୟରେ ମାଓ ପ୍ରଭାବିତ ଜିଲା ହ୍ରାସ ପାଉଥିବାରୁ ଅଧିକ କେନ୍ଦ୍ରୀୟ ଅର୍ଧସାମରିକ ବାହିନୀର ଆବଶ୍ୟକତା ନ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ତଥାପି ଆଗକୁ ଓଡ଼ିଶା ପୁଲିସ-ବିଏସ୍ଏଫ୍ ଓ ସ୍ଥାନୀୟ ପୁଲିସ ମଧ୍ୟରେ ମାଓ ମୁକାବିଲା ନେଇ ପ୍ରସ୍ତୁତ ରଣନୀତିରେ ସମନ୍ବୟ ରହିବ ସେହିଦିଗରେ ଆଲୋଚନା କରାଯାଇଥିଲା।
ଯେଉଁ ବିଏସ୍ଏଫ୍ ଯବାନମାନେ ଛୁଟିରେ ଯାଉଛନ୍ତି ସେମାନେ ଫେରିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟର ଯୋଗାଇ ଦେବାକୁ ବିଏସ୍ଏଫ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ବିଏସ୍ଏଫ୍କୁ କ୍ବାରେଣ୍ଟାଇନ୍ ସେଣ୍ଟର ଯୋଗାଇ ଦିଆଯାଇଛି। ଅଧିକ ଆବଶ୍ୟକ ପଡ଼ିଲେ ବ୍ୟବସ୍ଥା କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।