Odisha Link
Bridging the Missing Links in Odisha

ଦୁର୍ଗା ମୂର୍ତ୍ତି ଉଚ୍ଚତା, ପୁଣି ହାଇକୋର୍ଟ ଗଲେ ପୂଜା କମିଟି

କଟକ: ଦଶହରା ପୂଜା ପାଇଁ ମା’ ଦୁର୍ଗାଙ୍କ ମୂର୍ତ୍ତିଙ୍କ ଉଚ୍ଚତାକୁ ନେଇ ବିବାଦ ଥମିବାର ନାଁ ନେଉନି। ଆଜି ପୁଣି ପୂଜା କମିଟି ହାଇକୋର୍ଟରେ ୩ଟି ମାମଲାର ରୁଜୁ କରିଛି। କଟକର ବାଲୁବଜାର ପୂଜା କମିଟି ସଭାପତି ଏସ କେ ସାଙ୍ଗାନାରିଆ ହାଇକୋର୍ଟରେ କମିଶନରେଟ ପୁଲିସ ବିରୋଧରେ ମାମଲା କରିବା ସହ ଏକ ରିଭ୍ୟୁ ପିଟିସନ କରିଛନ୍ତି। ଅଦାଲତ ଅବମାନନା, ରିଭ୍ୟୁ ଓ ରିଟ୍‌ ପିଟିସନ୍‌ ଦାଖଲ କରିଛି କମିଟି।

ସୂଚନାଯୋଗ୍ୟ, ହାଇକୋର୍ଟ ମୂର୍ତ୍ତିର ଉଚ୍ଚତା ନେଇ ମାମଲାର ଶୁଣାଣି କରି ବିଭିନ୍ନ ପୂଜା କମିଟି କେତେ ଉଚ୍ଚର ମୂର୍ତ୍ତି କରିବେ ସେ ନେଇ କମିଶନରେଟ ପୁଲିସକୁ ଅବଗତ କରାଇ ମୂର୍ତ୍ତି ନିର୍ମାଣ କରିପାରିବେ ବୋଲି ଉଚ୍ଚ ନ୍ୟାୟାଳୟ କହିଥିଲେ। କିନ୍ତୁ କମିଶନେରଟ ପୁଲିସ ଏ କ୍ଷେତ୍ରରେ ପୂଜା କମିଟିକୁ ସହଯୋଗ କରୁ ନଥିବା ବିଭିନ୍ନ କମିଟି ଅଭିଯୋଗ କରିଛନ୍ତି।

ପୁଲିସ ମୂର୍ତ୍ତିର ଉଚ୍ଚତା ୭ ଫୁଟ ହୋଇ ପାରିବ ନାହିଁ ସ୍ପଷ୍ଟ କରିବା ସହ ୪ ଫୁଟ ଉଚ୍ଚର ମୂର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କତେକ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା ନ କରି ମଧ୍ୟ ପୁଲିସ ସେମାନଙ୍କ ସହ ଆଲୋଚନା ହୋଇଥିବା ନେଇ ହାଇକୋର୍ଟରେ ସତ୍ୟପାଠରେ ଦର୍ଶାଇଛନ୍ତି। ତେଣୁ ଏବେ କମିଶନରେଟ ପୁଲିସର ନିର୍ଦ୍ଦେଶନାମାକୁ ରଦ୍ଦ କରିବା ସହ ୭ ଫୁଟ ଉଚ୍ଚର ମୂର୍ତ୍ତି କରିବାକୁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି। ଏଥିସହ କମିଶନେରଟ ପୁଲିସ ପକ୍ଷରୁ ମିଥ୍ୟ ସତ୍ୟପାଠ କରାଯାଇଥିବାରୁ ଏହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ ନ୍ୟାୟାଳୟରେ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି।

 

 

Comments are closed.