Odisha Link
Bridging the Missing Links in Odisha

ବିଧାନସଭା: ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଲାଗି ଆଜି ସର୍ବଦଳୀୟ ବୈଠକ ବସିବ। ଏଥିପାଇଁ ବିଧାନସଭା ପକ୍ଷରୁ ଯେତିକି ତତ୍ପରତା ଦେଖାଦେଇଛି ତା’ଠାରୁ ଅଧିକ ସରଗରମ ଦେଖାଦେଇଛି ବିରୋଧୀଙ୍କ ମଧ୍ୟରେ। କୋଭିଡ଼-୧୯ ପରିପ୍ରେକ୍ଷୀରେ ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଶେଷ ଗୁରୁତ୍ୱ ଦେଉଛନ୍ତି।

ସଦସ୍ୟମାନେ କିଭଳି ଠିକଣା ଭାବେ ବସିବେ ଏବଂ ସରକାରୀ ମାର୍ଗଦର୍ଶିକା ଅନୁସରଣ ହେବ ସେ ନେଇ ଚିନ୍ତାରେ ଅଛନ୍ତି। ସଦସ୍ୟଙ୍କ ହିତକୁ ଦୃଷ୍ଟିରେ ରଖି ଅଧିବେଶନରେ ପ୍ରଶ୍ନକାଳକୁ ବାଦ୍‍ ଦିଆଯାଇଛି। ଏହାସହ ସଦସ୍ୟଙ୍କ କୋଭିଡ଼ ପରୀକ୍ଷା ସହ ସାମାଜିକ ଦୂରତା ରଖିବା ଲାଗି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ ରାଜ୍ୟବାସୀଙ୍କ ସମୂହ ସ୍ୱାର୍ଥକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ। ଯେତିକିଦିନ ଗୃହ ଚାଲିବାପାଇଁ ନିର୍ଘଣ୍ଟ ହୋଇଛି ସେତିକି ଦିନ କାର୍ଯ୍ୟହେଲେ ଲୋକଙ୍କ ବହୁକିଛି ସମସ୍ୟା ଉପସ୍ଥାପନ ହୋଇପାରିବ। ବିଧାନସଭାରେ ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି, ବେଆଇନ ଖଣି ଲିଜ୍‍ ଦିଆଯିବା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ଯାଜପୁରର କେଳୁଅ ସେତୁକୁ ଡ଼ିନାମାଇଟ ଲଗାଇ ଉଡାଇବା ପ୍ରସଙ୍ଗ ସବୁ ଲୋକଲୋଚନକୁ ଆଣିବା ଲାଗି ବିରୋଧୀଦଳ ପକ୍ଷରୁ ଉଦ୍ୟମ କରାଯିବ। ହେଲେ ବିଧାନସଭା ଆରମ୍ଭରୁ ପ୍ରଶ୍ନକାଳ ଯଦି ରହିବ ନାହିଁ ତେବେ କିପରି ଅଧିବେଶନ ଚାଲିବ ତାହା ସର୍ବଦଳୀୟ ବୈଠକ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ଏଥର ବିଜୁଳି ତାତିକୁ ନେଇ ଗୃହ କମ୍ପିବ। କରୋନା ବେଳେ ଲୋକେ ଜୀବନ ଜୀବିକା ପାଇଁ ଛଟପଟ ହେଉଥିବାବେଳେ ସରକାର କିଭଳି ବିଦ୍ୟୁତ୍‍ ଶୁଳ୍କ ବଢ଼ାଇଲେ ସେନେଇ ସରକାରଙ୍କଠାରୁ ଉତ୍ତର ଲୋଡାଯିବ।

Comments are closed.