Odisha Link
Bridging the Missing Links in Odisha

ମାଂସ ଖଣ୍ଡର ଡିଏନଏ ଟେଷ୍ଟ ହେବ: କମିଶନର

ଭୁବନେଶ୍ୱର: ଗତକାଲି ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ୍ ପଠାଯାଇଥିବାବେଳେ ମାଂସ ଖଣ୍ଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ। ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ଦାଖଲ ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିବା ସୂଚନା ମିଳିଛି। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ ଏସସିବିରେ ଆଜି ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। ତୃତୀୟ ବ୍ୟକ୍ତି ଜଣକ ସୁରକ୍ଷିତ ଥିବାବେଳେ ଆମେ ତାଙ୍କ ସହ କଥା ହୋଇଛୁ। ମାତ୍ର ଚତୁର୍ଥ ବ୍ୟକ୍ତିଙ୍କର ସୂଚନା ମିଳୁନି। ସେ ନିରୁଦ୍ଧିଷ୍ଟ ଥିବା ମାନୁଛୁ। ଏନେଇ ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।

ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ ପଠାଯାଇଛି। ଆବଶ୍ୟକ ପଡ଼ିଲେ ତାହାର ଡିଏନଏ ଟେଷ୍ଟ ମଧ୍ୟ କରାଯିବ। ଡିଏନଏ ଟେଷ୍ଟରେ ସ୍ପଷ୍ଟ ହେବ ସେ ଶରୀର ଅଂଶ କାହାର। ବିସ୍ଫୋରଣ ସ୍ଥଳରୁ ବାକି ରହିଥିବା ଏଲପିଜି ବାହାର କରିନିଆଇଛି। ଡିଜେଲ ବାହାର କରାଯାଇଛି, କିଛି ସମୟରେ ପେଟ୍ରୋଲ କଢାଯିବ। ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଗାତକୁ ମଧ୍ୟ ତନ୍ନ ତନ୍ନ ଯାଞ୍ଚ କରାଯିବ। କାଳେ ଗାତ ଭିତରେ କେହି ନିରୁଦ୍ଧିଷ୍ଟ ହୋଇଯାଇଥିବେ ତାହା ଦେଖିବୁ। ପରିସ୍ଥିତି ଏବେ ଠିକ୍‌ ରହିଛି। କେହି ଭୟଭୀତ ହେବାର କାରଣ ନାହିଁ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ନିଆଁ ଲାଗିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପେଟ୍ରୋଲ ପମ୍ପର ୧ କିମି ପରିଧି ଭିତରେ ଭୂକମ୍ପ ଭଳି ଝଟକା ଲାଗିଥିଲା। ରାଜଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତାକୁ ପୁଲିସ ସିଲ୍ କରିଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିଥିଲା।

Comments are closed.