Odisha Link
Bridging the Missing Links in Odisha

ଗୌରହରି ଦାସଙ୍କୁ ୬୦ ପୂରିଲା, ତାଙ୍କ ବାବଦରେ ୬ଟି ଅଜଣା କଥା

ବରିଷ୍ଠ କଥାଶିଳ୍ପୀ, ସ୍ତମ୍ଭକାର, ସାମ୍ବାଦିକ ଓ ସୁବକ୍ତା ଡ. ଗୌରହରି ଦାସ ଆଜି ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ମସିହା ଆଜିର ତାରିଖରେ ଭଦ୍ରକର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମଗ୍ରହଣ କରିିଥିବା ଶ୍ରୀ ଦାସ ଆଜି କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତୀୟ ସାହିତ୍ୟ ଜଗତରେ ବେଶ୍‌ ପରିଚିତି ପାଇଛନ୍ତି। ତେବେ ତାଙ୍କର ଜୀବନ, ବୃତ୍ତି ଓ ସାହିତ୍ୟ ଯାତ୍ରା ଆଦୌ ସହଳ ଓ ସୁଗମ ନଥିଲା। ନାନାଦି ବାଧାବିଘ୍ନ ଦେଇ ସଫଳତାର ସୁଆଦ ଚାଖିଥିବା ଗୌରହରିଙ୍କ ଜୀବନର ସେମିତି କିଛି ଜଣାଅଜଣା ତଥ୍ୟ ଆଜି ଏଠାରେ ପାଠକଙ୍କ ପାଇଁ ଉପସ୍ଥାପନ କରୁଛୁ।

ପିଲାଦିନ

ଏକ ସ୍ବାଧୀନତା ସଂଗ୍ରାମୀ ପରିବାରରେ ଜନ୍ମ ନେଇଥିଲେ ବି ଦୁଃଖ ଓ ଦୈନ୍ୟ ଥିଲା ଶିଶୁ ଗୌରହରିଙ୍କର ଚିର ସହଚର। ମାତ୍ର ୮ ବର୍ଷ ବୟସରେ ସେ ଘରଛାଡ଼ି ଏକ ଆଶ୍ରମରେ ରହିଥିଲେ ଓ ସେଠାରେ ଆଶ୍ରମ କାମରେ ସାହାଯ୍ୟ କରିବା ସାଙ୍ଗକୁ ଅଧିକ ଅଧ୍ୟୟନର ସୁଯୋଗ ପାଇଥିଲେ।

ଶିକ୍ଷା

ଆଶ୍ରମରେ ରହି ପାଠପଢ଼ୁଥିବା ବେଳେ ମେଧାବୀ ଗୌରହରି ଏକ ବୃତ୍ତି ପାଇଥିଲେ। ଏହା ତାଙ୍କୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବାରେ ସହାୟକ ହୋଇଥିଲା। ପରେ ସେ କଟକ ଆସି ଛୋଟ ମୋଟ କାମ କରିବା ସହ ନିଜ ଚେଷ୍ଟାରେ କଲେଜ ଶିକ୍ଷା ସମାପ୍ତ କରିଥିଲେ। ଦିନବେଳେ ରୋଜଗାର ପାଇଁ କାମ କରୁଥିବା ଗୌରହରି ରାଭେନ୍ସା ସାଂଧ୍ୟ ମହାବିଦ୍ୟାଳୟରେ ସ୍ନାତକ ସମାପ୍ତ କରିଥିଲେ। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ସମାପ୍ତ କରିଥିବା ଗୌରହରି ବହୁ ବିଳମ୍ବରେ (ଚାକିରି ଆରମ୍ଭର ପ୍ରାୟ ଦୁଇ ଦଶନ୍ଧି ପରେ) ସାମ୍ବାଦିକତା ଓ ଗଣ ଯୋଗାଯୋଗ ସ୍ନାତକୋତ୍ତର କରି ଉତ୍କଳ ବିଶ୍ବିବିଦ୍ୟାଳୟରେ ଶୀର୍ଷ ଛାତ୍ର ଭାବେ ସ୍ବର୍ଣ୍ଣପଦକ ପାଇଥିଲେ। ପରେ ସେ ସାହିତ୍ୟରେ ଡକ୍ଟରେଟ୍‌ ମଧ୍ୟ କରିଛନ୍ତି।

ବୃତ୍ତି

୧୯୮୫ ମସିହାରେ ଜଣେ ପ୍ରଶିକ୍ଷୁ ସହ-ସମ୍ପାଦକ (Trainee Sub-editor) ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଡ. ଦାସ ନିଜର ଅଧ୍ୟବସାୟ, ନିଷ୍ଠା ଓ କର୍ମତତ୍ପରତା ବଳରେ ପରବର୍ତ୍ତୀ ସମୟରେ ‘କଥା’ ଓ ସମ୍ବାଦି ସାହିତ୍ୟ ପପୃଷ୍ଠାର ସଂପାଦକ, ସମ୍ବାଦର ବାର୍ତ୍ତା ସମ୍ପାଦକ, ଅନୁଷ୍ଠାନର ମୁଖ୍ୟ ମହାପ୍ରବନ୍ଧକ (CGM) ଆଦି ପଦବୀକୁ ଉନ୍ନୀତ ହେବା ପରେ ସଂପ୍ରତି ସମ୍ବାଦର ସଂପାଦକ (ଫିଚର ବିଭାଗ) ଭାବେ କାର୍ଯ୍ୟ କରୁଛନ୍ତି। ସମ୍ବାଦ ସ୍କୁଲ ଅଫ୍‌ ମିଡିଆ ଆଣ୍ଡ କଲଚରର ସେ ଅଧ୍ୟକ୍ଷ ଅଛନ୍ତି।

ସାହିତ୍ୟ

ମାତ୍ର ୧୫ ବର୍ଷ ବୟସରେ ତାଙ୍କର ପ୍ରଥମ ଗଳ୍ପ ‘କ୍ଷୀଣାଲୋକ’ ପ୍ରକାଶ ପାଏ। ପରେ ରାଭେନ୍ସାରେ ପଢ଼ୁଥିବା ସମୟରେ ୧୯୮୧ରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଜୁଆରଭଟ୍ଟା’ ପ୍ରକାଶ ପାଇ ତାଙ୍କୁ ବେଶ୍‌ ଲେଖକୀୟ ଖ୍ୟାତି ଆଣିଥିଲା। ୪୦ ବର୍ଷର ସାହିତ୍ୟ ଯାତ୍ରାରେ ସେ ସବୁ ବିଭାଗରେ ନିଜର ଦସ୍ତଖତ ଛାଡ଼ିବା ସହ ୬୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ଏଥି ମଧ୍ୟରେ ରହିଛି ୧୩ଟି ଗଳ୍ପ ସଂକଳନ, ୫ଟି ଉପନ୍ୟାସ, ଗୋଟିଏ କବିତା ସଂକଳନ, ୬ଟି ଉପକଥା ସଂକଳନ, ୩ଟି ନାଟକ, ୪ଟି ପ୍ରବନ୍ଧ ପୁସ୍ତକ, ୭ଟି ସଂପାଦନା, ୩ଟି ଭ୍ରମଣ କାହାଣୀ ଓ ୬ଟି ଅନୁବାଦ ପୁସ୍ତକ ରହିଛି। ତାଙ୍କର ୩ଟି ଗଳ୍ପ ପୁସ୍ତକ ହିନ୍ଦୀ ଭାଷାରେ ଓ ଦୁଇଟି ଗଳ୍ପ ପୁସ୍ତକ ଇଂରାଜୀ ଭାଷାରେ ପ୍ରକାଶ ପାଇ ସାରିଛି। ତାଙ୍କର ବେଶ୍‌ କିଛି କାହାଣୀ, କ୍ଷୁଦ୍ର ଚଳଚ୍ଚିତ୍ର ଓ ଟେଲି ଚଳଚ୍ଚିତ୍ରର ରୂପ ନେଇଥିବା ବେଳେ ଅନେକର ନାଟ୍ୟ ରୂପାନ୍ତର ମଧ୍ୟ ହୋଇଛି।

ସମ୍ମାନ

୨୦୦୧ ମସିହାରେ ମାତ୍ର ୪୧ ବର୍ଷ ବୟସରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ପରେ ୨୦୧୨ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି। ଏହା ଭିନ୍ନ ୨୦୧୯ ମସିହାରେ ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ‘କୋରାପୁଟ ସାହିତ୍ୟ ସମ୍ମାନ’ ସମେତ ଉତ୍କଳ ସାହିତ୍ୟ ସମାଜ ସମ୍ମାନ, ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମାନ, ଫକୀର ମୋହନ ସାହିତ୍ୟ ପରିଷଦ ସମ୍ମାନ, ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର ଆଦି ବହୁ ପୁରସ୍କାର ଓ ସ୍ବୀକୃତି ଲାଭ କରିଛନ୍ତି ଡ. ଦାସ। ଏହା ଭିନ୍ନ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଠାରୁ ଉଭୟ ଜୁନିଅର ଫେଲୋସିପ୍‌ ଓ ସିନିଅର୍‌ ଫେଲୋସିପ୍‌ ଗ୍ରହଣ କରିଛନ୍ତି।

ଛଦ୍ମନାମ

ରାଜନୀତି ଓ ବୁଦ୍ଧିଜୀବୀ ମହଲର ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଅନେକେ ହୁଏତ ଜାଣନ୍ତି ନାହିଁ, ଗୌରହରି ଦାସ ଛଦ୍ମନାମରେ ମଧ୍ୟ ଲେଖନ୍ତି। ସାହିତ୍ୟରେ କେବେ କେବେ ସମୟରେ ଛଦ୍ମନାମରେ ଲେଖୁଥିବା ଡ. ଦାସ ସମ୍ବାଦ ରବିବାରରେ ନିୟମିତ ଭାବେ “ଶ୍ରୀ ନାରଦ” ଛଦ୍ମାନାମରେ “ରାଜଧାନୀ ରାଜନୀତି” ନାମରେ ଏକ ସ୍ତମ୍ଭ ଲେଖନ୍ତି।

Comments are closed.