୧୧ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ୧୧ରୁ ପ୍ରବଳ ବର୍ଷା। ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ଦିନରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏକ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି। ୧୨ ଅକ୍ଟୋବର ସକାଳ ସମୟରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ୧୧ ଓ ୧୨ ତାରିଖରେ ଗଜପତି, ରାୟଗଡ଼ା, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
୧୨ ଓ ୧୩ ତାରଖରେ ମାଲକାନଗିରି, କୋରାପୁଟ, ରାୟାଗଡା, ଗଜପତି, ଗଞ୍ଜାମ, ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।