Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଡାକ୍ତର ରାମଚନ୍ଦାନୀ: କରୋନା କାଳରେ ପିପିଇ କିଟ୍‌ ପିନ୍ଧି କୋଭିଡ ଆକ୍ରାନ୍ତଙ୍କୁ ନିଜ କାରରେ ନେଲେ ମେଡିକାଲ

ସମ୍ବଲପୁର: ମହାମାରୀ କରୋନା କାଳରେ ସରକାର କରୋନାଠୁ ଦୂରେଇ ରୁହ, ରୋଗୀଠାରୁ ନୁହେଁ ଉକ୍ତି ଦେଇଥିଲେ।। ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରି ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭିମ୍‌ସାରର ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ। ଏହି ମହାମାରୀ ସମୟରେ ଜଣେ ପ୍ରକୃତ କୋଭିଡ ଯୋଦ୍ଧାର ପରିଚୟ ଦେଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ। କରୋନା ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନା ଭିତରେ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟକର୍ମୀ ଭୟ କରୁଥିବା ବେଳେ ଏହି ମହାମାରୀ ସମୟରେ ଗୃହାବଦ୍ଧରେ ଥିବା ଜଣେ ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବା ପରେ ଡା.ରାମଚନ୍ଦାନୀ ପିପିଇ କିଟ୍ ପିନ୍ଧି ନିଜ ଗାଡିରେ ତାଙ୍କୁ ଡାକ୍ତରଖାନାକୁ ଆଣିଛନ୍ତି। ଅନ୍ୟପଟେ ରାମଚନ୍ଦାନୀ ଜଣେ ପ୍ରକୃତ କରୋନା ଯୋଦ୍ଧାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫଳରେ ଡାକ୍ତରଙ୍କ ଏଭଳି କାମ ପାଇଁ ଭିମସାର ନିର୍ଦେଶକଠାରୁ ଆରମ୍ଭ କରି ମେଡିକାଲ ଅଧିକାରୀ ସମସ୍ତେ ପ୍ରଶଂସା କରିଛନ୍ତି।

ଭିମସାରରେ ନିଜ ଡାକ୍ତରୀ ପାଠ ପଢିବା ସହିତ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ବର୍ତମାନର ବରିଷ୍ଠ ଆବାସିକ ଡାକ୍ତର ଡା.ଶଙ୍କର ରାମଚନ୍ଦାନୀ ବିଭିନ୍ନ ସମୟରେ ଅସହାୟ ବା ଗରିବ ରୋଗୀଙ୍କୁ ସହାଯ୍ୟର ହାତ ବଢାଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲ୍‌ଟିଛନ୍ତି। ତେବେ ତାଙ୍କର ଏଭଳି ମହାନ କାମ ଯୋଗୁଁ ଭିମସାର ପାଇଁ ମଧ୍ୟ ଗୌରବ ଆଣିଛି। କେତେବେଳେ କୃଷ୍ଠ ରୋଗୀଙ୍କୁ ବୋହି ରାସ୍ତା ପାର କରି ସରକାରୀସ୍ତରରେ ପ୍ରଶଂସା ସାଉଁଟିଥିବା ବେଳେ କେତେବେଳେ ଅସହାୟଙ୍କୁ ଆର୍ଥୀକ ସାହାଯ୍ୟକରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ହେଲେ ଆଜି ଡା.ରାମଚନ୍ଦାନୀ ବୁର୍ଲା କୃଷ୍ନରୋଗୀ କଲୋନୀରେ ଗୃହାବଦ୍ଧରେ ଥିବା ଜଣେ କରୋନା ରୋଗୀ ଯୁବକଙ୍କୁ ନିଜ ଗାଡିରେ ମେଡିକାଲ ଆଣି ନିଜ ମହାନତାର ପରିଚୟ ସୃଷ୍ଟି କରିଛନ୍ତି। ମିଳିଥିବା ସୂଚନା ମତେ ଡା.ରାମଚନ୍ଦାନୀ କିଛମାସ ହେବ ବୁର୍ଲା କୃଷ୍ଠ ରୋଗୀ କଲୋନୀକୁ ପୌଷ୍ୟ ଭାବରେ ଗ୍ରହଣ କରିଛନ୍ତି। ଫଳରେ ପଡାରେ ରହୁଥିବା ପ୍ରାୟ ୫୦ ପରିବାରର ଦୁଃଖ ସୁଖର ସାଥୀ ପାଲଟିଛନ୍ତି। ଅନେକ ସମୟରେ ସହାୟତା ପ୍ରଦାନ କରିଆସୁଛନ୍ତି।

ବର୍ତମାନ କରୋନା ମହାମାରୀ ଯୋଗୁଁ ସଚେତନତା ବାର୍ତ୍ତା ଦେବା ସହିତ ସେହି ଅଞ୍ଚଳରେ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇ ଗୃହାବଦ୍ଧରେ ଥିବା ବେଳେ ତାଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଦୁଇଦିନ ପୂର୍ବରୁ ପିପିଇ କିଟ୍ ପିନ୍ଧି ଡା.ରାମଚନ୍ଦାନୀ ସେଠାରେ ପହଂଚିଥିଲେ। ତେବେ ଉକ୍ତ କରୋନା ରୋଗୀ ମଧ୍ୟରୁ ଜଣେ ଆଜି ଅସୁସ୍ଥ ଅନୁଭବ କରିବା ସହିତ ନିଶ୍ୱାସ ନେବା ଆଣିବାରେ ସମସ୍ୟା ସୃଷ୍ଟି ହେବାରୁ ଡା.ରାମଚନ୍ଦାନୀଙ୍କୁ ପଡାବାସୀ ଅବଗତ କରିଥିଲେ। ଡା.ରାମଚନ୍ଦାନୀ ତୁରନ୍ତ ତାଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା କରିଥିଲେ। ଅନେକ ଟାକ୍ସିକୁ ଯୋଗାଯୋଗ କରିଥିଲେ ମଧ୍ୟ କରୋନା ରୋଗୀ ଙ୍କୁ କେହି ନେବା ପାଇଁ ମନା କରିଥିଲେ।

ତେବେ ରୋଗୀ ଜଣକୁ ବଂଚାଇବା ପାଇଁ ଡା.ରାମଚନ୍ଦାନୀ ଏକ ପିପିଇ କିଟ୍ ପିନ୍ଧି ନିଜେ ନିଜ କାର୍ ରେ ଆଣି ବୁର୍ଲା ମେଡିକାଲ ରେ ପହଂଚିଥିଲେ। ଏହାପରେ ଉକ୍ତ ରୋଗୀଙ୍କୁ ଆଇସୋଲେସନ୍ ୱାର୍ଡ ରେ ଭର୍ତି କରିବା ସହିତ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ସମ୍ବଲପୁର କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଉକ୍ତ ରୋଗୀଙ୍କୁ ଡାକ୍ତର ଖାନା ନଆଣି ବିଳମ୍ବ କରାଯାଇଥିଲେ ଆଗକୁ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଆନ୍ତା ବୋଲି ଡା.ରାମଚନ୍ଦାନୀ ସୂଚନା ଦେଇଛନ୍ତି।

Comments are closed.